ବାଲେଶ୍ୱରରେ ୯ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ, ଆଜିଠୁ ମିଳିବ ଇଣ୍ଟରନେଟ୍ ସେବା

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱରରେ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ଧୀରେ ଧୀରେ ପୌରାଞ୍ଚଳରେ ସ୍ୱାଭାବିକ ହେଉଛି ସ୍ଥିତି । ଆଜି କର୍ଫ୍ୟୁ କୋହଳ ସମୟ ୯ ଘଣ୍ଟା ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳ ୫ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ସମସ୍ତ ଲ୍ୟାଣ୍ଡଲାଇନ୍ ଇଣ୍ଟରନେଟ୍ ସେବାକୁ ଆଜିଠାରୁ କାର୍ଯ୍ୟକ୍ଷମ କରାଯିବ। ତେବେ ମୋବାଇଲ ଇଣ୍ଟରନେଟ୍ ସେବା ଉପରେ କଟକଣା ଏବେ ବି ବଳବତ୍ତର ରହିଛି। ଲାଣ୍ଡଲାଇନ୍ ଇଣ୍ଟରନେଟ୍ ସେବା ଦ୍ବାରା ବ୍ୟାଙ୍କ ସମେତ ବିଭିନ୍ନ ଅଫିସରୁ ଜନ ସାଧାରଣଙ୍କୁ ସେବା ମିଳିପାରିବ ବୋଲି ଜିଲାପାଳ ଆଶିଷ ଠାକରେ କହିଛନ୍ତି।
ସେହିପରି ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟିଛି । କେବଳ ସହଦେବଖୁଣ୍ଟା ଓ ଟାଉନଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି । ତେବେ ସହର ମଧ୍ୟରେ ଥିବା ସମସ୍ତ ସ୍କୁଲ କଲେଜ ଆଜି ମଧ୍ୟ ବନ୍ଦ ରହିଛି। ସୋମବାର ଠାରୁ ଜିଲ୍ଲାର ଅନ୍ୟ ଅଞ୍ଚଳ ଭଳି ସବୁ ସ୍କୁଲ କଲେଜ ଖୋଲିବା ପାଇଁ ବିଚାର ବିମର୍ଶ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଅନ୍ୟପକ୍ଷରେ ଦୁଇଦିନ ଧରି ଲିଜ୍ ଲାଇନ ଇଣ୍ଟରନେଟ ସେବା କାର୍ଯ୍ୟକ୍ଷମ ଥିବାବେଳେ ଗୃହ ବିଭାଗର ଅନୁମୋଦନ କ୍ରମେ ଆଜିଠାରୁ ସହରର ସମସ୍ତ ଲ୍ୟାଣ୍ଡଲାଇନ ବ୍ରଡ଼ବ୍ୟାଣ୍ଡ ଓ ୱାଇଫାଇ ଇଣ୍ଟରନେଟ କାର୍ଯ୍ୟକ୍ଷମ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜୁନ ୧୭( ସୋମବାର) ରେ ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ଅଭିଯୋଗ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୋଲିସ । ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ହୋଇଥିଲା। ବିଳମ୍ବିତ ରାତିରେ ମଧ୍ୟ ସୁଏଲପୁର ଓ ଦପ୍ତରସାହିର ଅଞ୍ଚଳର କିଛି ସ୍ଥାନରେ ଗାଡ଼ି ଭଙ୍ଗାରୁଜା ଓ ଦୋକାନ ଆସବାବପତ୍ରରେ ନିଆଁ ଲଗାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ପୁଲିସ୍ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ। ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୋଲିସ୍ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିଲେ । ଏହାପରେ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି ।