ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ କୋହଳ ହେବ କି କର୍ଫ୍ୟୁ ? ଆଜି ମଧ୍ୟ ରାତ୍ରି ପର୍ଯ୍ୟନ୍ତ ବଳବତ୍ତର ରହିଛି କର୍ଫ୍ୟୁ । ଆସନ୍ତାକାଲି ସକାଳ ୧୦ଟା ଯାଏ ବ୍ରଡବ୍ୟାଣ୍ଡ, ମୋବାଇଲ ଇଣ୍ଟରନେଟ୍ ଓ ଡାଟା ସର୍ଭିସ ବନ୍ଦ ରହିବ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୌରପାଳିକା ଅଞ୍ଚଳରେ ଆଜି ମଧ୍ୟରାତ୍ରି ଯାଏ କର୍ଫ୍ୟୁ ଲାଗୁ ହୋଇଛି । ୪୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଗତକାଲି ସଂଧ୍ୟାରେ ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି ।
ତେବେ କିଛି ବର୍ଗଙ୍କ ପାଇଁ କର୍ଫ୍ୟୁଙ୍କୁ କୋହଳ କରାଯାଇଛି। ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀ, ସରକାରୀ ଅଧିକାରୀ ଓ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବୈଧ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଗୋଷ୍ଠୀ ସଂଘର୍ଷ ପରେ ବାଲେଶ୍ବର ସହରରେ ପୋଲିସ ଛାଉଣୀ । କର୍ଫ୍ଯୁ ସମୟରେ ଜନସାଧାରଣଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ADG ଆଇନ ଶୃଙ୍ଖଳା ସଞ୍ଜୟ କୁମାର ବାଲେଶ୍ଵରରେ ପହଞ୍ଚି ସ୍ଥିତି ଉପରେ ରଖିଛନ୍ତି ନଜର। ଏପଟେ ମୁଖ୍ୟ ସଚିବ, ଡିଜିପିଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ମୁଖ୍ୟ ସଚିବ ପ୍ରଦୀପ ଜେନା, ଡିଜିପି ଅରୁଣ ଷଡ଼ଙ୍ଗୀ ତାଙ୍କୁ ଘଟଣା ବାବଦରେ ଅବଗତ କରାଇଛନ୍ତି । ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି । ଶାନ୍ତି ଫେରାଇବା ପାଇଁ ଜନସାଧାରଣଙ୍କୁ ଅପିଲ କରାଯାଇଛି ।