ବାଲେଶ୍ବରରେ କର୍ଫ୍ୟୁ ବଳବତ୍ତର, ସକାଳ ୬ଟାରୁ ଦିନ ୧୨ଟା ଯାଏଁ କୋହଳ

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବର ସହରରେ ଆଉ ୬ ଘଣ୍ଟା କୋହଳ ହେଲା କର୍ଫ୍ୟୁ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ଏହି ସମୟରେ ଆବଶ୍ୟକ ଜିନିଷପତ୍ର କିଣିପାରିବେ ଲୋକ। ଗତକାଲି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା । କର୍ଫ୍ୟୁ କୋହଳ ପରେ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । କିଏ କ୍ଷୀର ନେଉଛି ତ କିଏ ପରିବା ଆଉ କିଏ ରାସନ ଦୋକାନକୁ ଆସିଛନ୍ତି । ଏହି ଅବଧି ମଧ୍ୟରେ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ / ରୁଟିନ୍ ସେବାଗୁଡିକ କାର୍ଯ୍ୟ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି।
ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ବଳବତ୍ତର ରହିଛି । ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଗତକାଲିଠୁ ଲିଜ୍ ଲାଇନରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଉଥିଲେ ମଧ୍ୟ ମୋବାଇଲ ନେଟୱାର୍କରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ହ୍ବାଟସ ଆପ୍, ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ, ସ୍ନାପ୍ ଚାଟ୍ ଏବଂ ଅନ୍ୟ ସୋସିଆଲ ମିଡିଆ ସେବା ଉପରେ ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ କଟକଣା ବଢ଼ାଯାଇଛି । ଅନ୍ୟପଟେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଗିରଫଙ୍କ ସଂଖ୍ୟା ୪୫କୁ ବୃଦ୍ଧି ହୋଇଛି ।
ସୂଚନାଯୋଗ୍ୟ, ଜୁନ ୧୭( ସୋମବାର) ରେ ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ଅଭିଯୋଗ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୋଲିସ । ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ହୋଇଥିଲା। ବିଳମ୍ବିତ ରାତିରେ ମଧ୍ୟ ସୁଏଲପୁର ଓ ଦପ୍ତରସାହିର ଅଞ୍ଚଳର କିଛି ସ୍ଥାନରେ ଗାଡ଼ି ଭଙ୍ଗାରୁଜା ଓ ଦୋକାନ ଆସବାବପତ୍ରରେ ନିଆଁ ଲଗାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ପୁଲିସ୍ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ। ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୋଲିସ୍ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିଲେ । ଏହାପରେ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି ।