ବର୍ତ୍ତମାନ ରାଜ୍ୟରେ ବନ୍ୟା ଭୟ ନାହିଁ, ମହାନଦୀର ଉପରମୁଣ୍ଡରେ ହୋଇଛି କମ ବର୍ଷା: ସୂଚନା ଦେଲେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ):ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ମହାନଦୀର ଉପରମୁଣ୍ଡରେ ଅଧିକ ବର୍ଷା ନାହିଁ। ବୈତରଣୀ, ସୁବର୍ଣ୍ଣପୁର, ବୁଢାବଳଙ୍ଗ, କୋଲାବ ବେସିନ୍‌ରେ ବି ଅଧିକ ବର୍ଷା ନାହିଁ। ଫଳରେ ରାଜ୍ୟର ୮ଟି ବୃହତ ଜଳଭଣ୍ଡାରରୁ କେବଳ ହୀରାକୁଦ ଓ ରେଙ୍ଗାଳିକୁ ଛାଡିଦେଲେ ଅନ୍ୟ ସମସ୍ତ ଜଳଭଣ୍ଡାରର କ୍ଷମତାର ୫୦ପ୍ରତିଶତରୁ କମ୍‌ ଜଳ ରହିଥିବା ସୂଚନା ଦେଇଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ।
ମହାନଦୀ ନରାଜରେ ଜଳସ୍ତର ସ୍ଥିର ରହିଥିବା ବେଳେ ୪ ମିଟର ତଳେ ପ୍ରବାହିତ ହୋଉଛି । ବ୍ରାହ୍ମଣୀରେ ଜଳସ୍ତର ବଢୁଥିଲେ ବି ବିପଦ ସଙ୍କେତ ଉପରେ ନାହିଁ। ଆଖୁଆପଦା ଠାରେ ବୈତରଣୀ ବଢୁଛି କିନ୍ତୁ ବିପଦ ସଙ୍କେତ ପାଖାପାଖି ରହିଛି। ସୁବର୍ଣ୍ଣରେଖା ବି ବିପଦ ସଙ୍କେତ ତଳେ ରହିଛି। ଜଳକାରେ ଜଳସ୍ତର ବିପଦସଙ୍କେତ ପାଖାପାଖି ରହିଛି। ଆଉ ବଢିବାରେ ସମ୍ଭାବନା ନାହିଁ। ଅନ୍ୟ ନଦୀ ଗୁଡ଼ିକ ବିପଦ ସଙ୍କେତ ତଳେ ରହିଛି। ଲଘୁଚାପ ଲଗାଣ ବର୍ଷାରେ ସ୍ଥିତି ଅନୁଧ୍ୟାନ ପାଇଁ ସବୁ ସ୍ଥାନରେ ଅଧିକାରୀ ସଜାଗ ଅଛନ୍ତି। ଜଳସଂପଦ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ୨୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି। ରାତ୍ରିକାଳୀନ ପାଟ୍ରୋଲିଂ ଆବଶ୍ୟକ ସ୍ଥଳେ କରିବାକୁ କୁହାଯାଇଛି। ତଳିଆ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ସଜାଗ ରହିଛି ବିଭାଗ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.