କଟକ : ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା । ଏଥର ଆଠ ଦିନ ନୁହେଁ ନଅ ଦିନ ହେବ ବାଲିଯାତ୍ରା । ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ନବମ ଦିବସରେ ଉଦ୍ଯାପନ ହେବ । ଅର୍ଥାତ ନଭେମ୍ବର ୨୨ ବଦଳରେ ୨୩ ରେ ସରିବ ବାଲିଯାତ୍ରା । ଗୋଟିଏ ଦିନ ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ପାଇଁ ବନ୍ଦ ରଖା ଯାଇଥିଲା । ଏହା ସହ ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି ।
ଚଳିତ ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ଆରମ୍ଭ ହୋଇଥିଲା । ଗତକାଲି ବାଲିଯାତ୍ରାର ପଞ୍ଚମ ଦିନରେ ଦେଖିବାକୁ ମିଳିଛି ଖଚାଖଚ ଭିଡ଼ । ବଲିଉଡର ପ୍ପସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଥିଲେ ସାଂସ୍କୃତିକ ମଞ୍ଚର ମୁଖ୍ୟ ଆକର୍ଷଣ । ତାଙ୍କ ଗୀତରେ ଝୁମିଥିଲେ ଦର୍ଶକ । ମେଳାରେ ବେଶ ଜମୁଛି କିଣାବିକା । ଲୋକମାନେ ମେଳା ବୁଲିବା ବିଭିନ୍ନ ଷ୍ଟଲ ବୁଲି ଜିନିଷ କିଣୁଛନ୍ତି । ଖାଇବା ଜିନିଷ ସହ ଦୋଳିର ବେଶ ମଜା ନେଉଛନ୍ତି ।