କଟକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ରିମାଣ୍ଡରେ ଆସିବେ ୬ ଦୁଷ୍କର୍ମକାରୀ
କଟକ : ରିମାଣ୍ଡରେ ଆସିବେ ୬ ଦୁଷ୍କର୍ମକାରୀ । କଟକରେ କଲେଜ ଛାତ୍ରୀକୁ ବ୍ଲାକମେଲ କରି ଗଣଦୁଷ୍କର୍ମ ଘଟଣାରେ ସେମାନଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମସିନ୍ ରିକ୍ରିଏସନ କରିବ । ଲାଏ ଡିଟେକସନ୍ ଟେଷ୍ଟ ମଧ୍ୟ କରାଯିବ । ଅଭିଯୁକ୍ତମାନଙ୍କ ମୋବାଇଲ ଫୋନ ଜବତ କରାଯାଇଛି । ଭିଡିଓ ଭାଇରାଲ ହୋଇଛି କି ନାହିଁ ତଦନ୍ତ ପାଇଁ ମୋବାଇଲକୁ ଲାବୋରେଟୋରୀକୁ ପଠାଯାଇଛି ।
ସୂଚନା ଅନୁସାରେ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ସହପାଠୀ ପ୍ରେମିକ ପ୍ରଥମେ ଏକ କାଫେରେ ଶାରୀରିକ ସଂପର୍କ ରଖିବା ପରେ ଏହାର ଭିଡିଓ ଦେଖାଇ ଛାତ୍ରୀଙ୍କୁ ବ୍ଲାକମେଲ କରିଥିଲେ। ପରେ ଏକ ଘରେ ପ୍ରେମିକର ଅନ୍ୟ ୫ ସାଙ୍ଗ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଘଟଣା ସଂପର୍କରେ କାହାକୁ ଜଣାଇଲେ ଭିଡିଓ ଭାଇରାଲର ଭୟ ଦେଖାଇବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ନିର୍ଯାତନା ଅସହ୍ୟ ହେବା ପରେ ଛାତ୍ରୀ ଜଣକ ନଭେମ୍ବର ୪ ତାରିଖରେ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସିପି ସ୍ବସ୍ତିକ ପଣ୍ଡାଙ୍କ ତତ୍ତ୍ବାବଧାନରେ ବାଦାମବାଡ଼ି ଓ ପୁରୀଘାଟ ଥାନାର ଦୁଇଟି ଟିମ ତଦନ୍ତ କରି ୫ତାରିଖରେ ୩ଜଣ ଓ ୬ତାରିଖରେ ଅନ୍ୟ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। ଗିରଫ ହୋଇଥିବା ୬ଜଣଙ୍କ ବିରୋଧରେ ବିଏନଏସର ଧାରା 70 (1)/351(2)/3(5)/49, BNS ଧାରା 3(2) (v)/3(2) (va) ଲାଗିଛି। ପୀଡ଼ିତା ଓ ଅଭିଯୁକ୍ତମାନଙ୍କ ବୟାନ ରେକର୍ଡ ହୋଇଛି। ଛାତ୍ରୀଙ୍କ ତ୍ରିଶୁଳିଆର ଏକ ଘର ଓ ପୁରୀଘାଟ ଥାନା ଅଞ୍ଚଳରେ ଥିବା ଏକ କାଫେରେ ଦୁଷ୍କର୍ମ କରାଯାଇଥିଲା।