ଚିନ୍ତା କରନ୍ତୁନି ! ବାଲିଯାତ୍ରା ବୁଲାଇବ ମୋବାଇଲ ଆପ୍, ପ୍ରଶାସନ କରିଛି ପ୍ରସ୍ତୁତି

କଟକ(କେନ୍ୟୁଜ୍): ଐତିହାସିକ ବାଲିଯାତ୍ରାର ଦ୍ୱିତୀୟ ଦିନରେ ଖଚାଖଚ ଭିଡ଼। ଆଜି ଛାଡ଼ଖାଇ ଥିବା ବେଳେ ଲୋକମାନେ ଖାଇ ପିଇ ମଜା ଉଠାଉଛନ୍ତି। ଆମିଷ କାଉଣ୍ଟର ଗୁଡିକରେ ଲୋକମାନେ ଅଧିକ ଭିଡ଼ ଜମାଇଛନ୍ତି। ଗତ ଦୁଇ ବର୍ଷ ଧରି କୋଭିଡ ପାଇଁ ବାଲିଯାତ୍ରା ହୋଇ ନଥିବା ବେଳେ ଏ ବର୍ଷ ଲୋକଙ୍କ ମଧ୍ୟରେ ଅଧିକ ଆକର୍ଷଣ ଦେଖିବାକୁ ମିଳୁଛି। ୯ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ଜଙ୍ଗଲ, ପରିବେଶ, ପଞ୍ଚାୟତ ରାଜ, ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ।

କଟକର ଐତିହାସିକ ବାଲିଯାତ୍ରାର ରୂପରେଖ ବଦଳିଛି। ଦୁଇ ବର୍ଷର କରୋନା ମହାମାରୀ ପରେ ବେଶ ଧୁମଧାମରେ ଏଥରର ବାଲିଯାତ୍ରା ଆୟୋଜନ କରୁଛି କଟକ ଜିଲ୍ଲା ପ୍ରଶାସନ। ମହାନଦୀ ପଠାରେ ରହୁଛି କଟକର ବିଭିନ୍ନ ଐତିହ୍ୟ କିମ୍ବଦନ୍ତୀ। ନଦୀ ଜଳରେ ରହୁଛି ଫ୍ଲୋଟିଙ୍ଗ ରେସ୍ତୋରା। ବାଲିଯାତ୍ରା ପଡ଼ିଆର ପରିସୀମାକୁ ୧୫ ଏକରରୁ ଉର୍ଦ୍ଧ୍ବ ଅଞ୍ଚଳକୁ ବୃଦ୍ଧି ଘଟିଛି। ବିସ୍ତୀର୍ଣ୍ଣ ଅଞ୍ଚଳରେ ବାଲିଯାତ୍ରା ହେଉଥିବାରୁ ଭିଡ଼ ହେବ ନାହିଁ ବୋଲି ଆଶା କରାଯାଉଛି। କଟକ ମହାନଗର ପକ୍ଷରୁ ଗାଡି ରଖିବା ପାଇଁ ୧୧ଟି ପାର୍କିଂ ସ୍ଥାନ କରାଯାଇଛି। ମହାନଦୀରେ ବୋଟିଂର ମଜା ନେଇ ପାରିବେ ବାଲିଯାତ୍ରା ଦର୍ଶକ।

ବାଲିଯାତ୍ରାର ମଜା ଉଠାଉଥିବା ଦର୍ଶକ କିପରି ଅସୁବିଧାର ସମ୍ମୁଖିନ୍ନ ନହେବେ ସେଥିପାଇଁ ପ୍ରଶାସନ କରିଛି ବ୍ୟାପକ ପ୍ରସ୍ତୁତି। ଚିଳତ ବର୍ଷ ଡିଜିଟାଲ ମୋଡ଼ରେ କଟକର ଐତିହାସିକ ବାଲିଯାତ୍ରାର ମଜା ଉଠାଇପାରିବେ ଦର୍ଶକ।  ବାଲିଯାତ୍ରା ବୁଲାଇବ ମୋବାଇଲ ଆପ।
ଏଥିପାଇଁ ପ୍ରସ୍ତୁତ ହୋଇଛି ନୂଆ ଆପ୍ଲିକେସନ, ଆଉ ଏହି ଆପ ର ନାଁ ରହିଛି “ଆମ ବାଲିଯାତ୍ରା”। ଆଜି ଦିନ ୧୨ଟା ପର ଠାରୁ ଡାଉନଲୋଡ଼ କରିପାରିବେ ଲୋକେ। ଗୁଗୁଲ ପ୍ଲେ ଷ୍ଟୋରରୁ ଆପ୍ଲିକେସନ ଡାଉନଲୋଡ଼ କରି ହେବ। ଏହି ଆପରେ ରହିବ A to Z  ସବୁ ପ୍ରକାର ସୂଚନା।
ଜନସାଧାରଣଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଲୋକେସନ ଚିହ୍ନଟ କରିବାରେ ସହାୟକ ହେବ ଏହି ଆପ। ଜିପିଆରଏସ ଅନ୍ତର୍ଭୁକ୍ତ ହେବେ ବ୍ୟବସାୟୀ। ଶୌଚାଳୟ, ପାର୍କିଙ୍ଗ ଓ ଟ୍ରାଫିକ ପରିଚାଳନା ସମ୍ପର୍କିତ ସୂଚନା ଏହି ଆପରୁ ମିଳି ପାରିବ। ବିଭିନ୍ନ ସାଂସ୍କୃତିକ ଓ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଉପଲବ୍ଧ ହେବ। ବିଭିନ୍ନ ବ୍ରାଣ୍ଡର ସାମଗ୍ରୀ ସମ୍ପର୍କରେ ତଥ୍ୟ ମିଳିବ । ସହାୟତା କେନ୍ଦ୍ର ସମ୍ପର୍କିତ ସମସ୍ତ ସୂଚନା ରହିବ। ଏନେଇ ସିଏମସି କମିଶନର ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି

କଟକ ବାଲିଯାତ୍ରାକୁ ନେଇ ଅଗ୍ନିଶମ ବିଭାଗର ବିଶେଷ ପ୍ରସ୍ତୁତି । ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ମୋଟ ୫ଟି ଅସ୍ଥାୟୀ ଦମକଳ କେନ୍ଦ୍ର । ଗଡ଼ଖାଇ ଓ ମହାନଦୀ ନିକଟରେ ୪ଟି ପମ୍ପ ସେଟ ନିୟୋଜିତ କରାଯିବ । ୫ଟି ରେସକ୍ୟୁ ଟିମ ରହିବେ । ୫୦ଟି ଫାୟର ପୋଷ୍ଟ କାର୍ଯ୍ୟ କରିବ । ଉପର ବାଲିଯାତ୍ରା ପଡ଼ିଆରେ ୧୦ଟି ଓ ତଳ ପଡ଼ିଆରେ ୪୦ଟି ପୋଷ୍ଟ କାର୍ଯ୍ୟକକ୍ଷ ହେବ । ୨ଟି ଫାୟର ପାଟ୍ରୋଲିଂ ଟିମ କାମ କରିବ । ଉଭୟ ଉପର ଓ ତଳ ପଡ଼ିଆରେ ଗୋଟିଏ ଲେଖାଏଁ ଫାୟାର କଣ୍ଟ୍ରୋଲ ରୁମ ଖୋଲାଯିବ । ମୋଟ ୨୮୦ ଜଣ ଅଗ୍ନିଶମ କର୍ମଚାରୀ ବାଲିଯାତ୍ରା ପାଇଁ ନିୟୋଜିତ ହେବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.