ଏସ୍‌ସିବିରେ ଯୋଡ଼ାହେଲା କଟା ଗୋଡ଼, ସଫଳ ହେଲା ବଡ଼ସାହି ବିଧାୟକ ଓ ଏସ୍‌ସିବି ମେଡିକାଲ ଡାକ୍ତରୀଦଳଙ୍କ ଉଦ୍ୟମ

କଟକ : ଏସ୍‌ସିବିରେ ଯୋଡ଼ାହେଲା କଟା ଗୋଡ଼ । ଦୁର୍ଘଟଣାରେ ଛିଣ୍ଡିଗଲା ନାବାଳିକାଙ୍କ ଗୋଡ଼ । ହେଲେ ଜଣେ ଆମ୍ବୁଲାନ୍ସ ଚାଳକ, ବଡ଼ସାହି ବିଧାୟକ ଓ ଏସ୍‌ସିବି ମେଡିକାଲର ଡାକ୍ତରୀଦଳଙ୍କ ଉଦ୍ୟମରୁ ନାବାଳିକା ଜଣକ ନିଜ ଗୋଡ଼ ହରାଇବାରୁ ବର୍ତ୍ତି ଯାଇଛନ୍ତି । ଡାକ୍ତରଖାନାରେ ସଫଳତାର ସହ ତାଙ୍କ କଟା ଗୋଡ଼କୁ ଯୋଡ଼ି ଦିଆଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍‌ଣରେ ବେତନଟୀ ଥାନା ଅଧୀନ ଦାଢିଆମୁହାଁ-କରଞ୍ଜିଆ ଗାଁର ମମତା ସିଂ (୨୫), ଝିଅ ବୈଷ୍ଣବୀ (୮) ଓ ଭଉଣୀ ତପନୀ ସିଂ(୨୨) ସେହି ଗ୍ରାମର ଜଣେ ଯୁବକଙ୍କ ବାଇକ୍‌ରେ ବସି ବେତନଟୀ ଅଭିମୁଖେ ଯାଉଥିଲେ ।

ତେବେ ୧୮ ନମ୍ବର ଜାତୀୟ ରାଜପଥର ତୁଳସୀଚ ଉରାଠାରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ଵ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ, ବାଇକ୍ ସାମ୍ନାରେ ବସିଥିବା କୁନି ଝିଅ ବୈଷ୍ଣବୀର ବାମ ଗୋଡ଼ଟି ସମ୍ପୂର୍ଣ୍ଣ ଛିଣ୍ଡି ଶରୀରରୁ ଅଲଗା ହୋଇଯାଇଥିଲା । ଏଥିସହ ବାଇକ୍ ଚାଳକ ରାଜ, ପଛରେ ବସିଥିବା ମମତା ଓ ତପନୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନା ନେଇଥିଲେ । ଖବର ପାଇ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ଡାକ୍ତରଖାନାରେ ପହଞ୍ଚି କୁନି ଝିଅଟିକୁ ଦେଖିବା ପରେ କଟା ଗୋଡ଼କୁ କେମିତି ଯୋଡ଼ିହେବ ସେନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ।

ମନ୍ତ୍ରୀଙ୍କ ପରାମର୍ଶକ୍ରମେ ବୈଷ୍ଣବୀଙ୍କୁ କଟାଗୋଡ଼ ସହ ତୁରନ୍ତ କଟକ ଏସ୍‌ସିବି ଡାକ୍ତରଖାନା ନେବାର ବ୍ୟବସ୍ଥା କରାଯାଇଥିଲା । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କଟକରେ ନ ପହଞ୍ଚିଲେ ଏହି ଅସ୍ତ୍ରୋପଚାର ସମ୍ଭବ ହେବନି ବୋଲି ଡାକ୍ତରୀଦଳ କହିଥିଲେ । ତେବେ ବେତନଟୀ ଡାକ୍ତରଖାନାର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଶିବାଶିଷ ସିଂ କିନ୍ତୁ ହାର୍ ମାନି ନଥିଲେ । ମାତ୍ର ୩ ଘଣ୍ଟା ମଧ୍ୟରେ ବେତନଟୀରୁ କଟକ, ୨୦୦ କିମି ରାସ୍ତା ଅତିକ୍ରମ କରି ବୈଷ୍ଣବୀକୁ ଡାକ୍ତରଖାନାରେ ପହଞ୍ଚାଇ ଦେଇଥିଲେ । ସେପଟେ ପୂର୍ବରୁ ପ୍ରସ୍ତୁତ ଥିବା ଡାକ୍ତରୀଦଳ ତୁରନ୍ତ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ ଓ ବୈଷ୍ଣବୀଙ୍କ କଟା ଗୋଡ଼କୁ ସଫଳତାର ସହ ଯୋଡ଼ି ପାରିଥିଲେ । ଏବେ କୁନି ଝିଅଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ  ପ୍ରଫେସର୍ ଡ଼. ବିଭୂତି ଭୂଷଣ ନାୟକ । ଅନ୍ୟପଟେ ଏସ୍‌ସିବିକୁ ଧନ୍ୟବାଦ୍ ଜଣାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ ।