ଏସସିବିରେ ତେଜିଲା ଷ୍ଟାଫ ନର୍ସ ଓ ହାଉସ ସର୍ଜନଙ୍କ ବିବାଦ: କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ସେବା ନେଇ ଚିନ୍ତା

କଟକ : କଟକ ଏସସିବି ମେଡିକାଲ କଲେଜରେ ତେଜିଲା ଷ୍ଟାଫ ନର୍ସ ଓ ହାଉସ ସର୍ଜନଙ୍କ ବିବାଦ । ରୋଗୀ ସେବାରେ ବାଧା ଉପୁଜିବା ଆଶଙ୍କା । ଆଜି ଠାରୁ ଜରୁରୀ ଚିକିତ୍ସା ଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ହାଉସ ସର୍ଜନ । ଏଭଳି ଚେତାବନୀ ଦେଇ ସାରିଛନ୍ତି । ଆନ୍ଦୋଳନ ସମୟରେ ଏମରଜେନ୍ସି ଡ୍ୟୁଟି, କାଜୁଆଲଟି ଓ ଲେବର ରୁମ ଡ୍ୟୁଟି କରିବେ। ଆଉଟଡୋର ଓ ୱାର୍ଡ ଡ୍ୟୁଟି କରିବେ ନାହିଁ । ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ। ୨୫୦ ହାଉସ ସର୍ଜନ ଆନ୍ଦୋଳନରେ ସାମିଲ ହେବେ ।

ଗତ ରବିବାର ଦିନ ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ଭିତରେ ସୃଷ୍ଟି ହୋଇଥିଲା ବିବାଦ। ଉଭୟ ଉଭୟଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ହାଉସ୍ ସର୍ଜନ୍ ଓ ଷ୍ଟାଫ୍ ନର୍ସ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିଥିଲେ। ଉଭୟ ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଅଧିକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ହେଲେ ସମାଧାନର ପନ୍ଥା ବାହାରି ପାରି ନାହିଁ।

ସେପଟେ ମେଡିକାଲ କଲେଜ ପରିସର ସିଟି ସ୍କାନ ମେସିନ ଅଚଳାବସ୍ଥା ନେଇ ତେଜିବାରେ ଲାଗିଛି ବିବାଦ । ଏନେଇ ସୁବାସ ସଙ୍ଘଠନ ପକ୍ଷରୁ ଧାରଣା ଦିଆଯାଇଛି । ବର୍ଷ ବର୍ଷ ଧରି ଏହି ମେସିନ ଖରାପ ହେବା ସତ୍ତ୍ୱେ ଏସସିବି କତ୍ତୃପକ୍ଷ ଏହି ଦିଗର ଠୋସ ପଦକ୍ଷେପ ନେଉ ନହାନ୍ତି । ଯାହା ଫଳରେ ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ପୂର୍ବରୁ ଥିବା ସରକାର ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହେଇଛନ୍ତି । ତେଣୁ ବର୍ତ୍ତମାନର ସ୍ୱାସ୍ଥ୍ୟ ବିଭାଗ ନିଶ୍ଚୟ ରୁପରେ ଏହି ସମସ୍ୟା ଉପରେ ରୋକ ଲଗାଇବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।