ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ । ଭାବର ଠାକୁର ଭାବ ବିନୋଦିଆଙ୍କୁ ଟିକିଏ ରଥ ଉପରେ ଦେଖିବା ପାଇଁ ଭକ୍ତଗଣ ବ୍ୟକୁଳ । ଏବେଠୁ ରଥଯାତ୍ରା ପାଇଁ ଚାଲିଛି ଜୋରଦାର୍‌ ପ୍ରସ୍ତୁତି । କିଏ ଜଗା ଦର୍ଶନ ପାଇଁ ସଜବାଜ ହେଲେଣି ତ କିଏ ଲକ୍ଷ ଲକ୍ଷ ଭକ୍ତଙ୍କ ସେବା ପାଇଁ ଆରମ୍ଭ କରି ଦେଲେଣି ପ୍ରସ୍ତୁତି । ତେବେ ଏହାରି ଭିତରେ ଚଳିତ ବର୍ଷ ଦଶ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି କଟକ ସହରର ଦୁଇ ଭଉଣୀ ଚିଙ୍କି ଓ ଲିଙ୍କି । ରଥଯାତ୍ରା ଦିନ ଭାତ, ଡାଲମା, ଖଟା ଆଦି ରନ୍ଧା ଖାଦ୍ୟ ଯୋଗାଇବା ସହିତ, ବିସ୍କୁଟ ଓ ପାଣି ବୋତଲ ଯୋଗାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦୁଇ ଭଉଣୀ । ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି । ଆସନ୍ତା ଜୁଲାଇ ୭ ତାରିଖରୁ ପୁରୀରେ ପହଞ୍ଚି ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହେବ ବୋଲି କହିଛନ୍ତି ଦୁଇ ଭଉଣୀ ।

ତେବେ ଦୁଇ ଭଉଣୀ ଛାତ୍ରୀ ହୋଇଥିବା ବେଳେ ତାଙ୍କର ଏହି ସେବା ମନୋଭାବ ଦେଖି ବାପା ଓ ପରିବାରବର୍ଗ ସେମାନଙ୍କୁ ଉତ୍ସାହିତ କରି ଆସୁଛନ୍ତି । ରଥଯାତ୍ରା ପାଇଁ ଏହି ପ୍ରସ୍ତୁତିରେ କଟକ ସହରର ଅନେକ ବ୍ୟକ୍ତି ଦୁଇ ଭଉଣୀଙ୍କୁ ସହଯୋଗର ହାତ ମଧ୍ୟ ବଢାଇଛନ୍ତି । ପୁର୍ବରୁ କୋଭିଡ ସମୟରେ ମଧ୍ୟ କଟକରେ ଖାଦ୍ୟ ବଣ୍ଟନ କରି ଚର୍ଚ୍ଚାରେ ଥିଲେ ଦୁଇ ଭଉଣୀ ବିଜୟଲକ୍ଷ୍ମୀ ମହାରଣା ଓ ବିଦ୍ୟାଲକ୍ଷ୍ମୀ ମହାରଣା । ବୁଲା ପଶୁଙ୍କଠାରୁ ଆରମ୍ଭ କରି ନିରାଶ୍ରୟ, ଅସହାୟ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ବଣ୍ଟନ କରି ଆସୁଛନ୍ତି ଦୁଇ ଭଉଣୀ । ତେବେ ସବୁଠୁ ବଡ଼ କଥା ହେଉଛି ୧୦ ବର୍ଷ ତଳେ ପ୍ରଥମେ ନିଜ ସଞ୍ଚିତ ଅର୍ଥରେ ଖାଦ୍ୟ ବାଣ୍ଟିବା ଆରମ୍ଭ କରିଥିଲେ ଦୁଇ ଭଉଣୀ । ପରେ ପରିବାରବର୍ଗଙ୍କର ସମର୍ଥନ ଓ ସହଯୋଗ ମିଳିଥିଲା । ନିଜ ସ୍କୁଟିରେ ବୁଲି ବୁଲି, କୋଭିଡ ସମୟରେ ପ୍ରତିଦିନ ଶତାଧିକ ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ କରୁଥିଲେ ଏହି ଭଉଣୀ । ଦୁଇ ଭଉଣୀଙ୍କ ଏପରି କାର୍ଯ୍ୟ ଦେଖି ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି । ଦୁଇ ଝିଅଙ୍କ ଏହି କାର୍ଯ୍ୟ ଦେଖି ବାପା ମଧ୍ୟ ଝିଅଙ୍କ ସହଯୋଗ କରୁଛନ୍ତି ।

 

Leave A Reply

Your email address will not be published.