ପ୍ରତିଲିପି ସାହିତ୍ୟ ସମ୍ମାନ ଜିତିଲେ କଟକର ସୁନା ଝିଅ ଜୟଶ୍ରୀ, ୬୦ ଦିନରେ ଲେଖିଲେ ୬୦ଟି ଗପ

କଟକ(କେନ୍ଯୁଜ୍): ୬୦ ଦିନରେ ୬୦ଟି ଗପ ଲେଖି ଏବେ ଚର୍ଚ୍ଚାରେ କଟକର ସୁନା ଝିଅ ଜୟଶ୍ରୀ। ନା ଯେମିତି କାମ ବି ସେମିତି । ଜାତୀୟସ୍ତରରେ ପ୍ରତିଲିପି ଓଡ଼ିଆରେ ଭାଗ ନେଇ ସେ ବିଜୟୀ ହେବା ସହିତ ମାତ୍ର ୧୭ ବର୍ଷ ବୟସରେ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି । କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ରସାୟନ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ରୀ ହେଉଛନ୍ତି ଜୟଶ୍ରୀ ସାହୁ । ଦୁଇ ମାସ ନିରନ୍ତର ଭାବେ ପ୍ରତ୍ୟେକ ଦିନ ଗପ ଲେଖି ଅନ୍ୟ ପ୍ରତିଦ୍ବନ୍ଦ୍ବୀ ମାନଙ୍କୁ ସେ ପଛରେ ପକାଇ ବିଜେତା ହୋଇଛନ୍ତି।

ଅଳ୍ପ ବୟସରୁ ସାରସ୍ୱତ ସାଧନା ସହିତ ଯୋଡି ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସେ ସଫଳ ହୋଇପାରିଛନ୍ତି ଜୟଶ୍ରୀ ।ସଂଚାର ମାଧ୍ୟମରେ ଏକ ପ୍ରତିଯୋଗିତାର ନିୟମ ଅନୁଯାୟୀ ଲଗାତାର ୬୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମୋବାଇଲ ଟାଇପ ଦ୍ୱାରା ଓଡ଼ିଆରେ ଗଳ୍ପ ଲେଖି ତାହାକୁ ପ୍ରକାଶ କରି ପୁରସ୍କୃତ ହୋଇଛନ୍ତି ଜୟଶ୍ରୀ। ଜାତୀୟ ସ୍ତରୀୟ ସଂସ୍ଥା ପ୍ରତିଲିପି ଓଡ଼ିଆ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଗୋଟିଏ ବି ଦିନ ଗଳ୍ପ ପ୍ରକାଶନ ବନ୍ଦ ହେଲେ ପ୍ରତିଯୋଗିତାରେ ଅଯୋଗ୍ୟ ବିବେଚିତ ହେବାକୁ ପଡ଼ିବ ବୋଲି ରଖାଯାଇଥିଲା ସର୍ତ୍ତ।

ପ୍ରତ୍ୟକ ରାତି ୧୨ଟାରେ ସେହି ଦିନର ଗଳ୍ପ ପାଇଁ ବିଷୟ ପ୍ରଦାନ କରାଯାଇଥାଏ । ତାପରେ ତୁରନ୍ତ ସେହି ବିଷୟ ଆଧାରରେ ଗଳ୍ପଟି ସମ୍ପୂର୍ଣ୍ଣ କରି ପ୍ରକାଶ କରିବାକୁ ପଡ଼ିଥାଏ ଜୟଶ୍ରୀଙ୍କୁ । ସାମ୍ପ୍ରତିକ ସମାଜ ଉପରେ ଆଧାରିତ ତଥା ନିଜ ପରିକଳ୍ପିତ କାହାଣୀ ପ୍ରକାଶିତ ହେବା ପରେ ସଞ୍ଚାରରେ ପାଠକଙ୍କ ସଂଖ୍ୟା ଏବେ ୧ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ସେମାନଙ୍କ ଟିପ୍ପଣୀ ଗୁଡ଼ିକ ଗଳ୍ପ ଲେଖିବାକୁ ଅଧିକ ଅନୁପ୍ରେରିତ କରିଛି ବୋଲି ଜୟଶ୍ରୀ କୁହନ୍ତି । ତେବେ ଏହି ପ୍ରତିଯୋଗିତା ବର୍ଷକ ମଧ୍ୟରେ ବିଭିନ୍ନ ଭାଗରେ ଅନୁଷ୍ଠିତ ହୋଇଥାଏ। ଜୁନ୍‌ ମାସରେ ଏହି ପ୍ରତିଯୋଗିତାର ତୃତୀୟ ପର୍ଯ୍ୟାୟ ରହିଥିବା ବେଳେ ଜୁନ୍‌ ଓ ଜୁଲାଇ ମାସରେ ୬୦ ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡିସେମ୍ବର ୧ ତାରିଖ ଦିନ ଏହି ପ୍ରତିଯୋଗିତାରେ ଜୟଶ୍ରୀଙ୍କୁ ବିଜେତା ଘୋ‌ଷଣା କରାଯାଇଥିଲା।

ଏହାବ୍ୟତୀତ ଜଣେ ମେଧାବୀ ଛାତ୍ରୀ ଭାବେ ସେ ସରକାରୀ ତଥା ବେସରକାରୀ ସ୍ତରରେ ବୃତ୍ତି ଲାଭ କରିବା ସହ ପ୍ରବନ୍ଧ, ଚିତ୍ରାଙ୍କନ, ବଂଶୀବାଦନ ଆଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି ଜୟଶ୍ରୀ। ତାଙ୍କର ଏହି ବହୁମୁଖୀ ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ ତାଙ୍କ ପରିବାର ବର୍ଗ ଉତ୍ସାହିତ କରିଥିବା ସେ କୁହନ୍ତି । ଜାତୀୟସ୍ତରରେ ପ୍ରତିଲିପି ଓଡ଼ିଆରେ ଭାଗ ନେଇ ବିଜୟୀ ହେବା ସହିତ ମାତ୍ର ୧୭ ବର୍ଷ ବୟସରେ ଏଭଳି ସମ୍ମାନର ଅଧିକାରୀ ହୋଇପାରିଛନ୍ତି ଜୟଶ୍ରୀ। ଯାହା ଓଡିଆଙ୍କ ନିହାତୀ ଗର୍ବ ଓ ଗୌରବର ବିଷୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.