ସାଇବର ଠକଙ୍କ ପିଏମ କିଷାନ ଆପ, ମହିଳାଙ୍କଠାରୁ ଲୁଟିନେଲା ଲକ୍ଷାଧିକ ଟଙ୍କା

ବଲାଙ୍ଗିର : କିଛି କାମ କରିବାକୁ ପଡ଼ିବନି ଆଜ୍ଞା, ଘରେ ବସି ଶୋଇ ଆପଣ ପ୍ରତିମାସ ୩ ହଜାର ଟଙ୍କା ପାଇ ପାରିବେ । ପିଏମ କିଷାନ ଆପ ଓପନ କଲେ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଏପରି ଏକ ଲିଙ୍କ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଲା । ଲୋଭରେ ପଡି କିଛି ମହିଳା ଲିଙ୍କ କୁ କ୍ଲିକ୍ କରିବା ମାତ୍ରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହୋଇଗଲା ଗାଏବ୍ । ଲକ୍ଷାଧିକ ଟଙ୍କା ଠକେଇ ହେବା ପରେ ଏବେ ଉପାୟ ନପାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ହଁ ଆଜ୍ଞା, ପି.ଏମ କିଷାନ ଯୋଜନା ନାଁ ରେ ସାଇବର ଠକ ତିଆରି କରିଛନ୍ତି ଏକ ଆପ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିନା କାମରେ ମାସକୁ ୩ ହଜାର ଟଙ୍କା ପାଇବେ । ଯେଉଁ ଆପ୍ ଖୋଲିବା ଆଶାରେ ସାଇବର ଠକ ହାବୁଡରେ ପଡିଛନ୍ତି ବଲାଙ୍ଗିର ସହରର କିଛି ମହିଳା । ଏ ହେଉଛନ୍ତି ଇନ୍ଦିରା ନଗରର ଲକ୍ଷ୍ମୀ ସାହୁ । ପ୍ରାୟ ୧ଲକ୍ଷ ୪ହଜାର ଟଙ୍କା ହରାଇଛନ୍ତି ଲକ୍ଷ୍ମୀ । ମୋବାଇଲରେ ଆସିଥିବା ଲିଙ୍କକୁ ଓପନ କରି ତାଙ୍କ ଆକାଉଣ୍ଟ ଖାଲି ହୋଇଯାଇଛି । ବେପାର କରିବାକୁ ଲୋନ କରଥିଲେ ହେଲେ ସାଇବର ଠକ ସବୁ ଲୁଟି ନେଇଛି । ଆଉ ଏବେ ପୋଲିସକୁ ନ୍ୟାୟ ମାଗୁଛନ୍ତି ଲକ୍ଷ୍ମୀ ।

ତେବେ ଏହି ଠକାମୀର ଶିକାର କେବଳ ଲକ୍ଷ୍ମୀ ନୁହନ୍ତି । ସେହିପରି ବଲାଙ୍ଗିର ପ୍ୟାଲେସ ଲାଇନର ସାଇରାମ ପାଣିଗ୍ରାହୀ ବି ଏହି ଆପ ମାଧ୍ୟମରେ ୧ଲକ୍ଷ ୪୦ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି । ତେବେ ଏହି ଲିଙ୍କକୁ ସୋସିଆଲ ମିଡିଆରେ ଗଙ୍ଗାଧର ମାଝୀ ପୋଷ୍ଟ କରିଥିବା ବେଳେ ଗଙ୍ଗାଧର କହୁଛନ୍ତି ତାଙ୍କ ମୋବାଇଲ ହ୍ୟାକ ହୋଇଛି । ଏନେଇ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରୁଛି । ତେବେ ବଲାଙ୍ଗିର ସହରରେ ଅନେକ ମହିଳା ଏହି ଠକେଇର ଶିକାର ହୋଇଥିବା ସନ୍ଦେହ କରି ପୋଲିସ ଘଟଣାକୁ ଗୁରୁତ୍ଵ ଦେଇ ତଦନ୍ତ ଜାରି ରଖିଛି ।