ଟଙ୍କାଟେ ଟଙ୍କାଟେ ସଞ୍ଚୟ କରି ବ୍ୟାଙ୍କରେ ଟଙ୍କା ରଖିଥିଲେ କିଶୋର । ଭବିଷ୍ୟତକୁ ଆଖି ଆଗରେ ରଖି ନଖାଇ ନପିଇ ଦିନ ରାତି ପରିଶ୍ରମ କରୁଥିଲେ । ଆଉ ଯାହା ଟଙ୍କା ରୋଜଗାର କରନ୍ତି ସେଥିରୁ କିଛି ଟଙ୍କା ବ୍ୟାଙ୍କରେ ରଖନ୍ତି । କିନ୍ତୁ ତାଙ୍କ ସବୁ ଟଙ୍କା ଏମିତି ଗାୟବ ହୋଇଯିବ ସେ ସ୍ବପ୍ନରେ ସୁଧା ଭାବି ନଥିଲେ । ନବରଙ୍ଗପୁର ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ସାଇବର ଠକେଇର ଶିକାର ହେଲେ ଜଣେ ଯୁବକ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ପଂଚାୟତ ଅନ୍ତର୍ଗତ ପାଇକ କୋତ୍ରା ଗାଁର କିଶୋର ଚନ୍ଦ୍ର ହରିଜନ ଲକ୍ଷାଧିକ ଟଙ୍କା ହରାଇଛନ୍ତି । ଆଉ ସାଇବର ଠକେଇର ଶିକାର ହେବା ପରେ ମୈଦଲପୁର ଥାନା ଓ ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ କିଶୋରଙ୍କ ପାପଡାହାଣ୍ଡି ଏସବିଆଇ ଓ ୟୁନିୟନ ବ୍ୟାଙ୍କରେ ଦୁଇଟି ଆକାଉଣ୍ଟ ରହିଛି । ଏହି ଦୁଇଟି ଆକାଉଣ୍ଟରୁ ୭ ଲକ୍ଷ ୭୮ ହଜାର ଟଙ୍କା ଚଳିତ ମାସ ୨୨ ତାରିଖରୁ ୨୯ ତାରିଖ ଭିତରେ ତାଙ୍କ ବ୍ୟାଙ୍କ ଖାତାରୁ କଟିଥିବା ଅଭିଯୋଗ ହୋଇଛି । ଏସବିଆଇ ଖାତାରୁ ୩ ଲକ୍ଷ ୭୮ ହଜାର ଟଙ୍କା ପ୍ରାୟ ୩୦ ଥରରେ ଉଠା ଯାଇଛି ଏବଂ ୟୁନିୟନ ବ୍ୟାଙ୍କ ଖାତାରୁ ୟୁପିଆଇ ଜରିଆରେ ୮ ଥର କରି ପ୍ରାୟ ୪ ଲକ୍ଷ ଟଙ୍କା ଉଠାଯାଇଛି । ଏନେଇ ପାପଡାହାଣ୍ଡି ବ୍ୟାଙ୍କକୁ ଯାଇ ଖାତା ଯାଞ୍ଚ କରିବା ପରେ ପ୍ରାୟ ୭ ଲକ୍ଷ ୭୮ ହଜାର ଟଙ୍କା ଉଠା ଯାଇଥିବା ଜଣା ପଡିଥିଲା । ତେବେ ସାଇବର ଠକେଇର ଶିକାର ହୋଇଥିବା ଜାଣି ମୈଦଲପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କିଶୋର । ଏହା ସହ ପାପଡାହାଣ୍ଡି ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଲକ୍ଷାଧିକ ଟଙ୍କା ସାଇବର ଠକ ନେଇ ଯାଇଥିବାରୁ କିଶୋର ଚନ୍ଦ୍ର ହରିଜନ ଚିନ୍ତାରେ ରହିଛନ୍ତି । ଏପଟେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ବାରମ୍ବାର ଅନଲାଇନ୍ ଠକେଇକୁ ନେଇ ସତର୍କ କରାଯାଉଛି । କିନ୍ତୁ ସବୁ ପରେ ବି ଚେତୁ ନାହାନ୍ତି ଲୋକେ । ଅନଲାଇନରେ ଆସୁଥିବା ଲିଙ୍କ ଉପରେ କ୍ଲିକ୍ କରି ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଯଦି ଆପଣଙ୍କୁ କୌଣସି ଅଜଣା ନମ୍ବରରୁ ଲିଙ୍କ୍ ଆସୁଛି ତେବେ ଏଥିରେ ଆଦୌ କ୍ଲିକ୍ କରନ୍ତୁ ନାହିଁ । ସେହିପରି ଅଜଣା ନମ୍ବରରୁ କଲ ଆସୁଥିଲେ ସାବଧାନ ରୁହନ୍ତୁ । ଅଜଣା ଲୋକ ଓଟିପି ମାଗିଲେ ଭୁଲରେ ମଧ୍ୟ ଏହାକୁ ଦିଅନ୍ତୁ ନାହିଁ । ନଚେତ ଆପଣ ବି ଏମିତି ଠକାମିର ଶିକାର ହେବେ ।