ପୁରସ୍କାର ପାଇବା ଆଶାରେ ସାଇବର ଠକର ଶିକାର ହୋଇ ୨୫ ହଜାର ଟଙ୍କା ହରାଇଲେ
କେନ୍ଦ୍ରାପଡ଼ା: ଦୋକାନରେ ବସିଥିଲେ ହଠାତ୍ ବାଜିଥିଲା ଫୋନ୍ । ବ୍ୟକ୍ତି ଜଣକ ରିସିଭ୍ କରିଥିଲେ ଫୋନ୍ କଲ୍ । କଲ୍ ରେ ଜଣେ ବ୍ୟକ୍ତି ହଠାତ୍ ପଚାରିଥିଲେ ଆପଣ କୋଭିଡ ଟୀକାର ସମସ୍ତ ଡୋଜ ନେଇଛନ୍ତି କି ! ଉତ୍ତରରେ ଫୋନ୍ ଉଠାଇଥିବା ବ୍ୟକ୍ତି ଜଣକ କହିଥିଲେ ହଁ ମୁଁ ନେଇଛି । ତେଣୁ ଆପଣଙ୍କୁ ସରକାରଙ୍କ ତରଫରୁ ଚାରି ହଜାର ଟଙ୍କା ପୁରସ୍କାର ରାଶି ମିଳିବ । ଆପଣଙ୍କ ମୋବାଇଲରେ ଗୋଟିଏ ଦିଆଯାଇଥିବା ଲିଙ୍କ କୁ କ୍ଲିକ କରନ୍ତୁ । ଆଉ ପୁରସ୍କାର ରାଶି ଜିତନ୍ତୁ । ଏହି ଭଳି କଲ୍ ଆସିଥିଲା କେନ୍ଦ୍ରାପଡା ପାଟକୁରା ଥାନା ଅଞ୍ଚଳର ବଉଳାଙ୍ଗ ଗ୍ରାମ ର ମା ଶାରଳା ଏଣ୍ଟରପ୍ରାଇଜର୍ସର ପ୍ରୋପାଇଟର ପ୍ରସନ କୁମାର ରାଉତ ଙ୍କୁ । ଆଉ ତା ପରେ ତାଙ୍କ ସହ ଯାହା ଘଟିଥିଲା ତାହା ଆପଣ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ ।
ସେ ଲିଙ୍କକୁ ପାଞ୍ଚ ଥର କ୍ଲିକ କରିଥିଲେ ପ୍ରସନ । ହେଲେ ଲିଙ୍କ ଓପନ ହେଲାନି କିନ୍ତୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଗୁଗୁଲ ପେ ଜରିଆରେ ପଚିଶ ହଜାର ଟଙ୍କା କଟି ଯାଇଥିଲା । ଲିଙ୍କକୁ ପାଞ୍ଚ ଥର କ୍ଲିକ କରିବାରୁ ପ୍ରତିଥର ପାଞ୍ଚ ହଜାର ଟଙ୍କା ଲେଖାଏଁ କଟି ସମୁଦାୟ ପଚିଶ ହଜାର ଟଙ୍କା କଟି ଯାଇଥିଲା । କ୍ଷଣିକରେ ପ୍ରସନ କୁମାର ରାଉତ ଅଦୃଶ୍ୟ ଠକଙ୍କ କବ୍ଜାରେ ବଶୀଭୂତ ହୋଇ ସାଇବର ଲୁଟର ଶିକାର ହୋଇଥିଲେ ।
ତେବେ ପ୍ରକୃତରେ ଘଟଣା ଥିଲା ଏହିପରି । ବଉଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ପ୍ରସନଙ୍କ ନିଜ ଦୋକାନରେ ସେ କାର୍ଯ୍ୟବ୍ୟସ୍ତ ଥିଲେ । ସେହି ସମୟରେ ତାଙ୍କ ଫୋନ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ସେ ଫୋନ ଉଠାଇବା ମାତ୍ରେ ତାଙ୍କୁ ଠକ ମାନେ ସେ ପୂର୍ବରୁ ନେଇଥିବା କୋରନା ଟିକା ବାବଦକୁ ତାଙ୍କୁ ପୁରସ୍କାର ମିଳିବ କହି ମେସେଜ ବକ୍ସକୁ ଏକ ଲିଙ୍କ ପଠାଇ ଥିଲେ । ଲିଙ୍କକୁ କ୍ଲିକ କରିବାକୁ ପ୍ରସନ କୁମାର ରାଉତଙ୍କୁ କହିଥିଲେ ଠକ । ଲିଙ୍କ କ୍ଲିକ କଲେ ପୁରସ୍କାର ରାଶି ମିଳିବା ଭଳି ଲୋଭନୀୟ ପ୍ରତିଶୃତି ଆଶାରେ ନିଜ ଆକାଉଣ୍ଟ ରୁ ୨୫ ହଜାର ଟଙ୍କା ହରାଇ ଥିଲେ ପ୍ରସନ କୁମାର ରାଉତ । ଏନେଇ ସେ ଉକ୍ତ ନମ୍ବର ବିରୁଦ୍ଧରେ ପାଟକୁରା ଥାନାରେ ଅଭିଯୋଗ କରିବା ସହ ସାଇବାର ହେଲ୍ପ ଲାଇନଙ୍କୁ ଅଭିଯୋଗ ଜଣାଇଛନ୍ତି । ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ଏହି ଭଳି ଠକାମିର ଶିକାର ଅନ୍ୟ ଲୋକ କିପରି ନ ହୁଅନ୍ତୁ ପ୍ରସନ୍ନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।