ଗେମିଙ୍ଗ ଆପ୍ ମାଧ୍ୟମରେ ଠକେଇ କରୁଥିଲେ ସାଇବର ଠକ, ୪ ଅଭିଯୁକ୍ତ ଗିରଫ
ଚାରିଆଡ଼େ ମାତିଛନ୍ତି ସାଇବର ଠକ । ସାଧାରଣ ଲୋକଙ୍କୁ ଠକିବା ପାଇଁ ଆପାର୍ଟମେଣ୍ଟରେ ଭଡ଼ା ଘର ନେଉଛନ୍ତି ଠକ । ଅନଲାଇନରେ ଠକେଇ କରିବା ଏବେ ସାଇବର ଠକଙ୍କ ବାଁ ହାତର ଖେଳ ହୋଇଗଲାଣି । ନହେଲେ ଏମିତି ବେଧଡ଼କ ଭାବେ କେମିତି ବା ଲୁଟ୍ କରନ୍ତେ । ଆଜି ଭୁବନେଶ୍ବରୁ ଧରା ପଡ଼ିଛନ୍ତି ଏହି ସାଇବର ଠକ । କିନ୍ତୁ ଏମାନେ ସବୁ ଓଡ଼ିଶାର ଲୋକ ନୁହଁନ୍ତି ଆଜ୍ଞା ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାର ରାଜଧାନୀରେ ଆଡ୍ଡା ଜମାଇଛନ୍ତି । ଆଉ ଦିନ ରାତି ଖାଲି ନଜର ରଖୁଛନ୍ତି କେମିତି ସାଧାରଣ ଲୋକଙ୍କୁ ଠକିବେ । ତେବେ କିଛି ଠକ ଭାବିଥିଲେ ସେମାନଙ୍କ ଚାଲାକି ଧରା ପଡ଼ିବନି ଆଉ ଅତି ସହଜରେ ଲୋକଙ୍କୁ ଏମିତି ଜାଲରେ ଫସାଉଥିବେ । କିନ୍ତୁ ଚୋର ଘର ସବୁଦିନ ଅନ୍ଧାର ନଥାଏ । ଦିନେ ନା ଦିନେ ଚୋର ଧରାପଡ଼େ । ସମାନ ଭାବେ ଏମାନେ ବି ଆଜି ପୋଲିସ ହାତରେ ଧରା ପଡ଼ିଛନ୍ତି ।
ଭୁବନେଶ୍ୱର ବୋତୋଣ୍ଡା ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଭଡା ଘରେ ଚାଲିଥିଲା ଗେମିଙ୍ଗ ଆପ୍ କଲ୍ ସେଣ୍ଟର । ଗେମିଙ୍ଗ ଆପ୍ ମାଧ୍ୟମରେ ସାଇବର ଠକେଇ କରୁଥିଲେ ସାଇବର ଠକ । ଆପାର୍ଟମେଣ୍ଟର କିଛି ଲୋକ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପରେ ବୋତୋଣ୍ଡା ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟର f 602 ରେ ସାଇବର ଥାନା ପୋଲିସ ଓ ସ୍ପେସାଲ ସ୍କ୍ବାର୍ଡ ଓ ଏୟାରଫିଲ୍ଡ ଥାନାର ଅଧିକାରୀ ମିଳିତ ଭାବେ ଚଢାଉ କରିଥିଲେ । ଆଉ ରାଜ୍ୟ ବାହାରର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏ ସିଣ୍ଡିକେଟରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ କରୁଛି ପୋଲିସ ।
ଚଢ଼ାଉ ବେଳେ ଡେସ୍କଟପ, ଲାପଟପ, ୧୯ ଟି ମୋବାଇଲ ଫୋନ୍ ସହ ଅନେକ ପାସପୋର୍ଟ ଜବତ କରିଛି ପୋଲିସ । ଦୀର୍ଘ ୬ ମାସ ହେଲା ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଚାଲିଥିଲା ଏହି ଅପରେସନ । ବିଭିନ୍ନ ଲୋକଙ୍କୁ ଫୋନ୍ ଓ ମେସେଜ କରି ଅନଲାଇନ୍ ରେ ଟଙ୍କା ଠକେଇ କରୁଥିଲେ ସାଇବର ଠକ୍ । ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଦୁବାଇ ଓ ଶାଖା ଦିଲ୍ଲୀରେ ଥିବା କହିଛନ୍ତି ଅଭିଯୁକ୍ତ । ଏଠାରେ ରହୁଥିବା ଠକମାନେ ତ ଧରା ପଡ଼ିଲେ । କିନ୍ତୁ ଏହି ସାଇବର କ୍ରାଇମରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ କେବେ ଧରା ପଡ଼ୁଛନ୍ତି ତାହା ଦେଖିବାକୁ ବାକି ରହିଲା ।