ଅଙ୍ଗନବାଡି ଅଫିସ୍ ନାଁରେ ଯୁବକଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଲୁଟିନେଲେ ସାଇବର ଠକ, ଥାନାରେ ମାମଲା

ଜଳେଶ୍ବର(କେନ୍ୟୁଜ୍): ଅଙ୍ଗନବାଡି ଅଫିସ୍ ନାଁରେ ଲୁଟ୍ । ଅଭିନବ ଉପାୟରେ ଯୁବକଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଅର୍ଥ ଲୁଟିନେଲେ ସାଇବର ଲୁଟେରା । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ମଥୁରାନାଥ ଗାଁରୁ ଆସିଛି ଏପରି ଅଭିଯୋଗ । ପ୍ରଥମେ ଅଙ୍ଗନବାଡି କର୍ମୀ ଜାୟତ୍ରୀ ସାହୁଙ୍କ ମୋବାଇଲ ଫୋନକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା ।
କଲ୍ କରିଥିବା ଯୁବତୀ ଜଣକ ଭୁବନେଶ୍ୱର ସ୍ଥିତ ଅଙ୍ଗନୱାଡ଼ି ମୁଖ୍ୟ କାର୍ଯ୍ୟାଳୟରୁ ଅଧିକାରୀ ବୋଲି ନିଜର ପରିଚୟ ଦେଇଥିଲେ । ଏହା ପରେ ଚାରି ଜଣ ହିତାଧିକାରୀଙ୍କ ତଥ୍ୟ ପଚାରି ବୁଝିବା ସହିତ କନଫରେନ୍ସ କଲ ମାଧ୍ୟମରେ ସେମାନଙ୍କ ସହ କଥା ହୋଇଥିଲେ । ପରେ ଜଣେ ହିତାଧିକାରୀଙ୍କ ସ୍ୱାମୀ ଗଣେଶ ବାରିକ ସହିତ ଯୋଗାଯୋଗ କରି ଅଙ୍ଗନୱାଡ଼ି କର୍ମୀ ତାଙ୍କୁ ସୁବିଧା ସୁଯୋଗ ସଠିକ୍ ଭାବରେ ଦେଉଛନ୍ତି କି ନାହିଁ ବୋଲି ପଚାରି ବୁଝିଥିଲେ ।
ବିଶ୍ୱାସ ଜିତିବା ପରେ ଗଣେଶଙ୍କ ମୋବାଇଲକୁ ଏକ ଲିଙ୍କ ପଠାଇଥିଲେ । ଲିଙ୍କକୁ କ୍ଲିକ କରିବା ପରେ ପ୍ରଥମେ ୪ ହଜାର ୮୬୭ ଟଙ୍କା ଏବଂ କିଛି ସମୟ ପରେ ୨୧ ହଜାର ୯୯୬ ଟଙ୍କା କଟି ଯାଇଥିଲା । ତେବେ ଏନେଇ ଅଭିଯୋଗ କରିବା ସହ ଉକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ଦାୟୀ କରିଛନ୍ତି ଗଣେଶ ।