ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ଦାନା’ । ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି । ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ତୀବ୍ରତା ଥିଲା ୧୦୦ରୁ ୧୨୦ କି.ମି ପ୍ରତି ଘଣ୍ଟା । ଏହାର ପ୍ରଭାବରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଉପକୂଳ ଅଶାନ୍ତ ହୋଇପଡ଼ିଛି । ସମୁଦ୍ରରେ ଉଚ୍ଚ ଢେଉ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ କରୁଛି। କେଉଁଠି ୫୦୦ ମିଟର ତ ଆଉ କେଉଁଠି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ମାଡ଼ି ଆସିଲାଣି ସମୁଦ୍ର । ତିନି ମିଟର ଉଚ୍ଚର ଜୁଆର ମାଡ଼ ଦ୍ବାରା କେତେକ ସ୍ଥାନରେ ଅତଡ଼ା ଖାଉଛି ।
ସ୍ଥଳଭାଗ ଛୁଇଁବା ସହ ‘ଦାନା’ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି । ଉପକୂଳବର୍ତ୍ତୀ କିଛି ଗାଁରେ କଚ୍ଚା ତଥା ମାଟି କାନ୍ଥ ଘର ଭାଙ୍ଗିବା ସହ ଚାଳଘରଗୁଡ଼ିକର ଛପର ଉଡ଼ିଯାଇଛି । ଆଜବେଷ୍ଟସ ମଧ୍ୟ ଉଡ଼ିଯାଇଥିବା ଦେଖିବାକୁ ମିଳିଛି । ମାଟି କାନ୍ଥ ଘର ଭାଙ୍ଗିଯାଇଛି । ଗଛ ଡାଳ ପଡି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ ତାର ଛିଣ୍ଡିଛି । ତାଳଚୁଆ, ରାଜନଗର ଆଦି ସ୍ଥାନରେ ୬ ଫୁଟର ଜୁଆର ମାଡି ଆସିଛି । ତାଳଚୁଆ ବଜାରରେ ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ବତ୍ୟାର ତାଣ୍ଡବ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏନଡିଆରଏଫ, ଏସଡିଆରଏଫ, ଓଡ୍ରାଫ ସହ ଅଗ୍ନୀଶମ ଟିମର ସଦସ୍ୟ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଅନ୍ୟପଟେ ସ୍ଥଳଭାଗ ଛୁଇଁଥିବା ବାତ୍ୟା ‘ଦାନା’ ଶୁକ୍ରବାର ଯାଜପୁର, ଢେଙ୍କାନାଳ, ଅନୁଗୁଳ ଦେଇ ଆଭ୍ୟନ୍ତରୀଣ ଓଡ଼ିଶାରେ ପଶିବ । ଉପକୂଳବର୍ତ୍ତୀ ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ଓ ପବନର ପ୍ରଭାବ ରହିବ। ଶୁକ୍ରବାର ସକାଳ ସାଢ଼େ ୮ଟା ସୁଦ୍ଧା ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତିପ୍ରବଳ ଅର୍ଥାତ୍ ୨୦ରୁ ୩୦ ସେମି ବର୍ଷା ହୋଇପାରେ । ଏହି ସମୟରେ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାରେ ବର୍ଷାର ପ୍ରଭାବ ପଡ଼ିବ । ଯାଜପୁର, ଭଦ୍ରକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ ଅନୁଗୁଳର କେତେକ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ ।