ବାତ୍ୟା ପ୍ରଭାବରେ ଧାନ, ବିରି ଫସଲ ସହ ପନିପରିବା ଚାଷ ନଷ୍ଟ, କ୍ଷୟକ୍ଷତି ଆକଳନର ସତ୍ୟତା ଯାଞ୍ଚ କରିବେ ସୁପରଭାଇଜିଂ ଅଫିସର

ରାଜନଗର /ଆଳିରୁ/ଚାନ୍ଦବାଲି/ଭଦ୍ରକ/ନୀଳଗିରି/ଯାଜପୁର/ବାସୁଦେବପୁର: ବାତ୍ୟା ଦାନା ଛଡ଼ାଇ ନେଲା ଚାଷୀଙ୍କର ବର୍ଷକର ଦାନା । ଉଜୁଡା ଫସଲକୁ ନେଇ ଚିନ୍ତାରେ ଚାଷୀକୁଳ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ଆଳି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଳି ବ୍ଲକର ୩୪ପଞ୍ଚାୟତରେ ୧୦ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିଲା । ହେଲେ ଲଗାଣ ବର୍ଷା ଯୋଗୁ ଚାଷ ଜମିରେ ଆଣ୍ଠୁଏ ଉଚ୍ଚାର ପାଣି ଜମିରହିଛି । ଫଳରେ ଧାନ ଥୋଡ଼ ସବୁ ପାଣିରେ ବୁଢ଼ି ରହିଛି। ଦିନେ ଦୁଇ ଭିତରେ ଧାନ ବିଲରୁ ପାଣିନିଷ୍କାସନ ନହେଲେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚାଷୀ କହିଛନ୍ତି । ଚାଷର ଏଭଳି ଅବସ୍ଥା ଦେଖି ଚାଷୀଙ୍କ ନିଦ ହଜିଯାଇଛି।

ରାଜନଗରରେ ଧାନ ବିଲରେ ଲହଡି ଭାଙ୍ଗୁଛି ପାଣି:

ଏପଟେ ରାଜନଗରରେ ବାତ୍ୟା ଦାନା ଛଡାଇ ନେଇଛି ଚାଷୀର ଦାନା । ଧାନ ବିଲରେ ଲହଡି ଭାଙ୍ଗୁଛି ପାଣି । ସୁନାର ଫସଲ ଉଜୁଡି ଯାଇଛି । ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା କୃଷି ବିଭାଗ ଚାଷୀ ମାନଙ୍କ ନିକଟରେ ପହଁଛି ନଥିବା ବେଳେ କିପରି ଚାଷୀ ଋଣ ସୁଝିବ ଏବଂ ପରିବାର ପ୍ରତିପୋଷଣ କରିବ ସେନେଇ ଚିନ୍ତାରେ ଚାଷୀ କୂଳ ।

କେନ୍ଦୁଝର ଜିଲ୍ଲାର ହାଟଡିହି ଏବଂ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବହୁ ଜମି କ୍ଷତିଗ୍ରସ୍ତ:

ଏପଟେ ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁ କେନ୍ଦୁଝର ଜିଲ୍ଲାର ହାଟଡିହି ଏବଂ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବହୁ ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି । ଉଜୁଡା ଫସଲକୁ ନେଇ ଚିନ୍ତାରେ ହଜାର ହଜାର ଚାଷୀ । ପବନ ଓ ବର୍ଷା ମାଡ଼ରେ ଧାନ ଗଛ ଶୋଇପଡ଼ିଥିବା ବେଳେ ବିଲ ମାନଙ୍କରେ ପାଣି ଜମି ରହିଛି। ବ୍ଲକର ଭାଟପଡା, ଆରଡ଼ି, ଓଲଗ, ସୁନ୍ଦରପୁର, ମହୁଲିଆର ବିଭିନ୍ନ ଚାଷ ଜମିରେ ପଶିଛି ବନ୍ୟା ପାଣି । ଏହାସହ ବାତ୍ୟା ପରେ ଏବେ ବନ୍ୟା ଭୟ ସୃଷ୍ଟି ହୋଇଛି । ବିଶେଷକରି ପ୍ରବଳ ବର୍ଷା ଯୋଗୁଁ ସଳନ୍ଦୀ ଓ ନାଳିଆ ଏବଂ ରେବ, କପାଳୀ ନଦୀରେ ବନ୍ୟା ଆସିଛି । ଏହି ବନ୍ୟା ଦ୍ୱାରା ଭଦ୍ରକ ବ୍ଲକର ପାଞ୍ଚ ଗୋଟି ପଞ୍ଚାୟତ, ଧାମନଗର ବ୍ଲକର ଛଅ ଗୋଟି ପଞ୍ଚାୟତ, ତିହିଡି଼ ବ୍ଲକର ଛଅ ଗୋଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି ।

ବାସୁଦେବପୁରରେ ବି ଚାଷ ଜମିରେ ପାଣି:

ବାତ୍ୟା ଦାନା ଚାଲି ଯାଇଛି ହେଲେ ଲୋକ ମାନଙ୍କ ମନରେ ଛାଡି ଦେଇଯାଇଛି ଦୁଃଖ । ଯୁଆଡେ ଦେଖିଲେ ଖାଲି ପାଣି ଓ ଗଛ ପଡି ରାସ୍ତା ଅବରୋଧ । ଏହି ବାତ୍ୟା ଦାନା ବାସୁଦେବପୁରରେ ବି ଚାଷ ଜମିରେ ପାଣି ମାଡିଯିବା ସହିତ ପବନ ମାଡରେ ଧାନ ଗଛ ଶୋଇଯିବା ଫଳରେ ଚାଷ ମଧ୍ୟ ବଷ୍ଟ ହୋଇଯାଇଛି ।

ନୀଳଗିରିର ସୋନ ନଈରେ ବନ୍ୟା ଆସି ବହୁ ଗାଁ ଜଳମଗ୍ନ:

ଏହାସହ ବାଲେଶ୍ୱର ଜିଲ୍ଲା ନୀଳଗିରିର ସୋନ ନଈରେ ବନ୍ୟା ଆସି ବହୁ ଗାଁ ଜଳମଗ୍ନ ଥିବାବେଳେ ବହୁ ଚାଷଜମିରେ ପାଣି ମାଡି ଯାଇଛି । ନୀଳଗିରି ରେ ବିଭିନ୍ନ ନଦୀ ଅଞ୍ଚଳରେ ଚାଷ ଜମିରେ ପାଣି ମାଡ଼ିଯିବା ରୁ ବ୍ୟାପକ ଚାଷ ନଷ୍ଟ ହେବାର ଲାଗିଛି । ସେପଟେ ସିଙ୍ଗିରି , ତୋଟପଡ଼ା, କାଂଶ, ବଡ଼ କାଳିଆ ପଦା, ସାନକାଳିଆ ପଦା, ଏଭଳି ବିଭିନ୍ନ ଅଂଚଳରେ ଅଞ୍ଚଳରେ ହେକ୍ଟର ହେକ୍ଟର ଧାନ ଚାଷ ଜମି ସହ ପରିବା ଚାଷ ଜମି ବନ୍ୟା ପାଣିରେ ବୁଡି ରହିଛି ।

ଯାଜପୁର ଜିଲ୍ଲାରେ ଧାନ, ବିରି ଫସଲ ସହ ପନିପରିବା ଚାଷ ନଷ୍ଟ:

ଏପଟେ ଯାଜପୁର ଜିଲ୍ଲାରେ ବାତ୍ୟା ‘ଦାନା’ ପ୍ରଭାବରେ ବ୍ୟାପକ ଧାନ, ବିରି ଫସଲ ସହ ପନିପରିବା ଚାଷ ନଷ୍ଟ ହୋଇଛି । ବିଶେଷକରି ଧର୍ମଶାଳା ବ୍ଲକର ପଟୁଣିଆ, କଣ୍ଟିଗଡ଼ିଆ, ଅରେଇକଣା, ମିର୍ଜାପୁର, ପାଟପୁର ଆଦି ମୌଜାରେ ବିରି ଫସଲରେ ବର୍ଷା ମାଡ଼ ସହ ଚାଷ ଜମିରେ ପାଣି ଜମି ରହିଛି । ଯାହାକୁ ନେଇ ଚାଷୀକୁଳ ହତାଶ ହୋଇ ପଡିଛନ୍ତି । ଫସଲ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ଉପୁଜିଛି।

ଯୋଗ୍ୟ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରାଯିବ :

ବାତ୍ୟା ଦାନା ଛଡ଼ାଇ ନେଲା ଚାଷୀଙ୍କର ବର୍ଷକର ଦାନା । ବର୍ଷା ମାଡ଼ ସହ ଚାଷ ଜମିରେ ପାଣି ଜମି ରହିଛି । ଯାହାକୁ ନେଇ ଚାଷୀ କୁଳ ହତାଶ ହୋଇପଡିଛନ୍ତି । ଏପଟେ ରାଜସ୍ୱ ଓ କୃଷି ବିଭାଗର ମିଳିତ ଟିମ୍ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବେ । ଟିମ୍ ସୁନିଶ୍ଚିତ କରିବ, ୩୩ ପ୍ରତିଶତ କିମ୍ବା ତାଠାରୁ ଅଧିକ ଫସଲ କ୍ଷତି ହୋଇଛି କି ନାହିଁ। କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପ୍ରସ୍ତୁତ କରି ରଖାଯିବ । ଯାହାଫଳରେ ପାଣ୍ଠି ଆସିବା କ୍ଷଣି କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କୃଷି ଇନପୁଟ୍ ସବସିଡି ପଠାଯିବ ।

ଜମିରେ ୩ ଇଞ୍ଚର ବାଲି ଓ କାଦୁଆ ମାଟି ଜମିଥିଲେ, ତାହା ବାହାର କରିବାକୁ SDRF/NDRF ନିୟମ ଅନୁଯାଯୀ ଯୋଗ୍ୟ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରାଯିବ । କ୍ଷୟକ୍ଷତି ଅକାଳନ ସମୟରେ ଫସଲ ଓ ଭଙ୍ଗାଘରର ଜିଓ ଟ୍ୟାଗ ସୟମ ଥିବା ଫୋଟୋ ବାଧ୍ୟତାମୂଳକ କରାଯାଇଛି । କ୍ଷୟକ୍ଷତି ଆକଳନର ସତ୍ୟତା ଯାଞ୍ଚ ପାଇଁ ସୁପରଭାଇଜିଂ ଅଫିସର ରହିବେ।

 

You might also like