ଦାଦନ ଖଟି ଯାଇଥିଲେ ରାଜ୍ୟ ବାହାରକୁ ହେଲେ ଫେରିଲା ତାଙ୍କ ମରଶରୀର

ବାଲିଗୁଡା: ଗରିବ ଘରେ ଜନ୍ମ । ତେଣୁ ଖଟିଲେ ଖାଇବ । ସେଥିଲାଗି ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଦି ପଇସା ରୋଜଗାର କରିବାକୁ । ରୋଜଗାର କଲେ ଘରେ ଚୁଲି ଜଳିବ । ସ୍ତ୍ରୀ ପିଲାଛୁଆଙ୍କ ପେଟକୁ ଭଲରେ ଦାନା ମୁଠେ ମିଳିବ । ଏଇ ଆଶାରେ କାମ କରିବା ପାଇଁ ଧାଉଁଛନ୍ତି । ହେଲେ ପରିବାର ମୁହଁରେ ହସ ଫୁଟେଇବାକୁ ଯାଉଥିବା ଶ୍ରମିକ କେତେବେଳେ ହାତଗୋଡ଼ କଟା ଅବସ୍ଥାରେ ତ କେତେବେଳେ ମୃତ ହୋଇ ଫେରୁଛନ୍ତି ନିଜ ଜନ୍ମ ମାଟିକୁ l କିନ୍ତୁ ଯେତେବେଳେ ମୃତ ଅବସ୍ଥାରେ ଫେରୁଛନ୍ତି ସେତେବେଳେ ସବୁ ସ୍ବପ୍ନ ଭାଙ୍ଗିରୁଜି ଚୁରମାର ହୋଇଯାଉଛି ପରିବାର ଲୋକଙ୍କର । ଏମିତି ଏକ ଦାଦନ ଯନ୍ତ୍ରଣାର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା କ.ନୂଆଁ ବ୍ଲକ ଚାଞ୍ଚେଡି ପଞ୍ଚାୟତ ସୋଲାଙ୍ଗିଆ ଗାଁରୁ l ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛି ପରିବାର ।

କାମଧନ୍ଦା ଅଭାବରୁ ସୋଲାଙ୍ଗିଆ ଗାଁର ନନ୍ଦ ପ୍ରଧାନ ଗତ ଛଅ ମାସ ତଳେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ । ଚେନ୍ନାଇର କୁନ୍ଦ୍ରାଥର ଜିଲ୍ଲା ରାଘବେନ୍ଦ୍ର ନଗର ଅଂଚଳରେ ଥିବା ଏହି କମ୍ପାନୀରେ କାମ କରୁଥିଲେ । ଗତ ସପ୍ତାହରେ ସେହି କମ୍ପାନୀରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ଘଟି ନିଆଁ ଲାଗି ଜଳି ଯାଇଥିଲେ ନନ୍ଦ ପ୍ରଧାନ l ଗୁରୁତର ଅବସ୍ଥାରେ ନନ୍ଦଙ୍କୁ ଉଦ୍ଧାର କରି କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ l ପ୍ରାୟ ଛଅ ଦିନ ଧରି ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ l

ଗତକାଲି ଘରୋଇ କମ୍ପାନୀ ଦ୍ୱାରା ଆମ୍ବୁଲାନ୍ସରେ ମୃତଦେହ ଚେନ୍ନାଇରୁ ସୋଲାଙ୍ଗିଆ ଗାଁକୁ ଅଣା ଯାଇଥିଲା । ମୃତଦେହ ଗାଁରେ ପହଞ୍ଚିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ନନ୍ଦ ପ୍ରଧାନଙ୍କ ପରିବାର ଲୋକ l ନନ୍ଦଙ୍କ ପରିବାରରେ ସ୍ତ୍ରୀ ଆରତୀ ପ୍ରଧାନ ଓ ୪ଟି ପିଲା ଅଛନ୍ତି । ଦିବ୍ୟାଙ୍ଗ ବାପାଙ୍କୁ ମିଶାଇ ୬ ଜଣ । ପରିବାରର ଏକମାତ୍ର ରୋଜଗାରିଆ ଥିଲେ ନନ୍ଦ । ସେଥିଲାଗି ଦୀର୍ଘ ବର୍ଷ ଧରି ବାହାର ରାଜ୍ୟରେ ଦାଦନ ଖଟି ଆସୁଥିଲେ l କିଏ ବା ଜାଣିଥିଲା ନିଜ ସ୍ତ୍ରୀ ପିଲାଛୁଆ ଓ ଦିବ୍ୟାଙ୍ଗ ବାପାଙ୍କୁ ଛାଡି ଏପରି ଅଚାନକ ଚାଲି ଯିବେ ବୋଲି କିଏ ଜାଣିଥିଲା ।

ନନ୍ଦ ଚାଲିଯିବା ପରେ ଦାଦନ ଖଟୁଥିବା ଏହି ଶ୍ରମିକଙ୍କ ପରିବାରକୁ ଏବେ କିଏ ଦାନା ଯୋଗେବ? ଏକ ମାତ୍ର ରୋଜଗାରିଆ ପୁଅକୁ ହରେଇ ବାହୁନି ବାହୁନି କାନ୍ଦୁଛି ପରିବାର l ସେପଟେ ଏପରି ହୃଦୟ ବିଦାରକ ଘଟଣାକୁ ନେଇ ସୋଲାଙ୍ଗିଆ ଗାଁରେ ଶୋକର ଛାୟା ଖେଳି ଯାଇଛି l ଏଇ ଅସହାୟ ପରିବାରକୁ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ମୃତ ନନ୍ଦ ପ୍ରଧାନଙ୍କ ସ୍ତ୍ରୀ ଆରତୀ ପ୍ରଧାନ ଓ ସ୍ଥାନୀୟ ବାସିନ୍ଦା l