ସ୍ତ୍ରୀ ଓ ଛୁଆକୁ ଅପହରଣ କରି ନେଇଛି ଦାଦନ ସର୍ଦ୍ଦାର, ଅଭିଯୋଗ ଆଣିଲେ ପରିବାର
ନୂଆପଡା ଜିଲା ଖଡିଆଳ ଥାନା ଅନ୍ତର୍ଗତ ଠେଲକୋଦାବରୀ ଗାଁର ଜଣେ ଦାଦନ ଶ୍ରମିକ ପରିବାର ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ଏହାରି ଭିତରେ ଦାଦନ ସର୍ଦ୍ଦାର ସେମାନଙ୍କୁ ଅପହରଣ କରିନେଇ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଓଡିଆ ଦାଦନ ଶ୍ରମିକଙ୍କ ସ୍ତ୍ରୀ ଓ ତାଙ୍କ ୨ ବର୍ଷର ଶିଶୁ କନ୍ୟାକୁ ଦାଦନ ସର୍ଦ୍ଦାର ଅପହରଣ କରିନେଇଛି । ଦାଦନ ସର୍ଦ୍ଦାର କବଳରୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ନୂଆପଡା ଜିଲ୍ଳାପାଳ ଓ ଏସପିଙ୍କ ନିକଟରେ ନେହୁରା ହୋଇଛନ୍ତି ଅପହୃତ ହୋଇଥିବା ଦାଦନ ଶ୍ରମିକଙ୍କ ପରିବାର ଲୋକେ ।
ଅଭିଯୋଗ ଅନୁସାରେ ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଠେଲକୋଦାବରୀ ଗାଁର ଭୂବନ ବାଗ ତାଙ୍କ ସ୍ତ୍ରୀ ଯଯାତି ଗହିର ଓ ୨ ବର୍ଷର ଶିଶୁ କନ୍ୟାକୁ ନେଇ ଗତ ନଭେମ୍ୱର ୮ ତାରିଖ ଦିନ ଦାଦନ ଖଟିବା ପାଇଁ ତେଲେଙ୍ଗାନାକୁ ଯାଇଥିଲେ । ଏଥିପାଇଁ ଭୁବନ ଖଡିଆଳ ଥାନା ଅନ୍ତର୍ଗତ କୁଳିଗାଁର ଦାଦନ ଦଲାଲ ତରୁଣଙ୍କ ଜରିଆରେ ବଲାଙ୍ଗୀର ଜିଲା ଲାଠୋର ଗାଁର ଶ୍ରମିକ ଦଲାଲ ରତନ ମେହେରଙ୍କ ଠାରୁ ଅଗ୍ରିମ ଟଙ୍କା ନେଇଥିଲେ । ଶ୍ରମିକ ଦଲାଲ ଜଣକ ଭୁବନ ବାଗଙ୍କ ପରିବାରକୁ ନେଇ ତେଲେଙ୍ଗାନା ରାଜ୍ୟର ପଇଦାପାଲୀ ଥାନା ଅନ୍ତର୍ଗତ ବାଇଗନପେଟ ଏକ୍ସରୋଡ ସ୍ଥିତ ରାମଗିରି ଇଟାଭାଟିରେ ଛାଡିଦେଇ ଆସିଥିଲେ । ହେଲେ ସେଠାରେ ଭୁବନଙ୍କ ପରିବାର ୨୦ ଦିନ କାମ କରିବା ପରେ ତାଙ୍କ ୨ ବର୍ଷ ଝିଅର ଦେହ ଅସୁସ୍ଥ ହେଲା । ତେଣୁ ସେ କାମ ଛାଡ଼ି ଇଟାଭାଟିରୁ ଗତ ୩୦ ତାରିଖ ଦିନ ଏକ ଅଟୋରେ ସପରିବାରକୁ ନେଇ ଫେରିଆସୁଥିଲେ । ଠିକ୍ ଏତିକି ବେଳେ ପଇଦାପାଲି ବାଇଗନ ରୋଡ ନିକଟରେ ଅନ୍ୟ ଜଣେ ଦାଦନ ଦଲାଲ ବଳ ପୂର୍ବକ ଶ୍ରମିକ ପରିବାରକୁ ଅଟକାଇ ଭୁବନଙ୍କ ପତ୍ନି ଓ ଶିଶୁ କନ୍ୟାକୁ ଅପହରଣ କରି ନେଇଥିଲେ । ସେଠାରେ ଭୂବନ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସ୍ତ୍ରୀ ଓ ଝିଅର କୌଣସି ସନ୍ଧାନ ପାଇନଥିଲେ । ପରେ ଭୁବନ ସେଠାକାର ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ଦାଦନ ସର୍ଦ୍ଦାରଙ୍କ ଲୋକ ତାଙ୍କ ମୋବାଇଲ ଫୋନ ଓ ଟଙ୍କାକୁ ଛଡାଇ ନେଇ ମାରପିଟ କରିଥିଲେ । କୌଣସି ପ୍ରକାରେ ଜୀବନ ବଞ୍ଚାଇ ଭୁବନ ଘରକୁ ପଲାଇ ଆସିଥିଲେ ।
ଭୂବନ ତାଙ୍କ ସ୍ତ୍ରୀ ଓ ଝିଅକୁ ଦାଦନ ସର୍ଦ୍ଦାରଙ୍କ କବଳରୁ ତୁରନ୍ତ ଉଦ୍ଧାର କରିବା ପାଇଁ ନୂଆପଡା ଜିଲାପାଳ ଓ ନୂଆପଡା ଏସପିଙ୍କ ନିକଟରେ ଲିଖିତ ଭାବେ ଜଣେଇଛନ୍ତି । ସେହିପରି ଭୂବନଙ୍କ ମାଆ ଓ ତାଙ୍କ ବଡଭାଇ ନୂଆପଡା ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରକୁ ଆସି ଜିଲ୍ଳାପାଳ ଓ ନୂଆପଡା ଏସପିଙ୍କୁ ଭେଟି ତାଙ୍କ ଝିଅ ବୋହୂଙ୍କୁ ଉଦ୍ଧାର କରି ଆଣିବା ପାଇଁ ଅନୁରୋଧ କରିଛନ୍ତି । ଅପରପକ୍ଷେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ତେଲେଙ୍ଗାନାରେ ଅପହୃତ ହୋଇଥିବା ଦୁଇ ଓଡିଆ ଦାଦନ ଶ୍ରମିକଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଗରିବ ପରିବାର ଏମାନେ । ଖଟିଲେ ପେଟକୁ ଦି ମୁଠା ଦାନା ମିଳେ । ଏପରିସ୍ଥିତିରେ ନିଜ ପରିବାରକୁ କେମିତି ମୁକୁଳାଇବେ ଚିନ୍ତାରେ ଅଛନ୍ତି । ଏ ଗରିବ ପରିବାରକୁ ଯଦି ପ୍ରଶାସନର ସାହାଯ୍ୟ ମିଳିବ ତେବେ ଏ ପରିବାରର ଝିଅ ବୋହୂ ଘରକୁ ଫେରି ଆସି ପାରିବେ ।