ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ଯାଇଥିଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ, ଶବ ହୋଇ ଗାଁକୁ ଫେରିଲେ

ସୁବର୍ଣ୍ଣପୁର : ଏଇ ବରଷେ ହେବ ଝିଅକୁ ବାହା ଦେଇଥିଲେ । ଋଣକରି ଝିଅ ବାହାଦେଲେ ସିନା ସେସବୁକୁ ସୁଝିବେ କେମିତି ? ଅର୍ଥାଭାବରୁ ପରିବାର ମୁଣ୍ଡରେ ପଡ଼ିଥିଲା ଚଡ଼କ । ସେଥିପାଇଁ ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ । କାମ କରି ଦୁଇ ପଇସା ଆଣିଲେ ପରିବାର ସୁରୁଖୁରୁରେ ଚଳିବା ସହ ଝିଅ ବାହାଘରର ଧାର କରଜ କିଛି ବାକି ସୁଝି ହୋଇଯିବ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଏ ଆଶା ଆଶାରେ ହିଁ ରହିଗଲା । କାମ ଅନ୍ବେଷଣରେ ବାହାର ରାଜ୍ୟକୁ କାମ ପାଇଁ ଯାଇଥିବା ଘରର ରୋଜଗାରିଆ ପୁଅ ଏବେ ମୃତ ହୋଇ ଘରକୁ ଫେରିଛି । ସ୍ବାମୀର ଏପରି ଅବସ୍ଥା ଦେଖି କାନ୍ଦି କାନ୍ଦି ତା’ର ଚେତା ରହୁନି ସ୍ତ୍ରୀର । କାନ୍ଦ ବୋବାଳିରେ ଫାଟି ପଡ଼ୁଥାଏ ପୁରା ପରିବେଶ । ପରିବାର ବନ୍ଧୁ ପରିଜନ ସମସ୍ତଙ୍କ ଆଖିରେ ଲୁହ । କାହାରି ଧୈର୍ଯ୍ୟ ରହୁନି । କେମିତି ବା ରହିବ । କଥା ଦେଇଥିଲେ ଝିଅ ବାହାଘରର କରଜ ସୁଝିଦେବେ ବୋଲି ହେଲେ ସବୁଦିନ ଦିନ ପାଇଁ ଆରପାରିକୁ ଚାଲିଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁରେ ।

ଦଫା ଉର୍ମାଙ୍କ ୪୫ ବର୍ଷିୟ ପୁଅ ବିଶ୍ଵାମିତ୍ର ଉର୍ମା । ଦୁଇପୁଅ ଏବଂ ଝିଅକୁ ନେଇ ବିଶ୍ଵାମିତ୍ରଙ୍କ ତେଲ ଲୁଣର ସଂସାର । ଝିଅ ବଡ ହୋଇଥିବାରୁ ଗତ ବର୍ଷ ବାହାଦେଇଥିଲେ । ସାହୁ ସାହୁକାର ଋଣକରି ଝିଅ ବାହାଦେଲେ । ସେସବୁକୁ ସୁଝିବାକୁ ପାଖରେ ନାହିଁ ଟଙ୍କା । ତେଣୁ ସେ କିଛି ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ ଚାଲିଗଲେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ । ଆଜକୁ ୫ ଦିନ ତଳେ ଘରୁ ବାହାରିଥିଲେ ହେଁ ବିଶ୍ଵାମିତ୍ର କିନ୍ତୁ ପହଞ୍ଚି ପାରି ନଥିଲେ ଠିକଣା ଜାଗାରେ । ତେଲେଙ୍ଗାନା ରାଜ୍ୟର ତ୍ରିପୁରାକୁ ଯିବା ବାଟରେ ତେନାଲି ରେଳଷ୍ଟେସନ ପହଞ୍ଚିବା ପୂର୍ବରୁ ଚଳନ୍ତା ଟ୍ରେନରୁ ତଳକୁ ଖସି ପଡ଼ି ଚାଲିଗଲା ବିଶ୍ଵାମିତ୍ରଙ୍କ ଜୀବନ । ପୁରା ପରିବାରରେ ଖେଳି ଯାଇଛି ଶୋକର ଛାୟା ।

ତେନାଲି ରେଲଓେର ଜିଆରପି ପୋଲିସ ବିଶ୍ବାମିତ୍ର ମୃତଦେହକୁ ଜବତ କରିବା ସହ ଘରକୁ ଖବର ଦେଇଥିଲେ । ଖବର ପାଇବା ପରେ କାନ୍ଦ ବୋବାଳରେ ଫାଟି ପଡିଥିଲା ପୁରା ଗାଁ ଆଉ ନରମି ଯାଇଥିଲା ପରିବେଶ । କ୍ଷଣିକ ପାଇଁ ସ୍ତବ୍ଧ ହୋଇଯାଇଥିଲା ସାହି ପଡିଶା । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାଶ୍ରମ ବିଭାଗର ସହାୟତାରେ ପରିବାର ଲୋକେ ସେଠାକୁ ଯାଇ ମୃତଦେହକୁ ଘରକୁ ଆଣି ଅନ୍ତିମ ସଂସ୍କାର କରିଛନ୍ତି । ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ଶ୍ରମ ଅଧିକାରୀ ଡିଲେଶ୍ଵର ଖାଖା,ଏସଡିପିଓ ହେମନ୍ତ ରାଓ ଘଟଣା ସ୍ଥଳରେ ପହଞ୍ଚି ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଦେବା ସହ ସରକାରୀ ବିଧି ବ୍ୟବସ୍ଥାରେ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାନ୍ତ୍ୱନା ଦେଇଛନ୍ତି ।

 

Also Read:ଉପଭୋକ୍ତାଙ୍କୁ ଆଶ୍ବସ୍ତି : ବଢିବ ନାହିଁ ବିଦ୍ୟୁତ୍ ଦର