ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼: ପେଟ ପାଇଁ ଦୁଇ ମୁଠା ଆହାର ଯୋଗାଡ଼ କରିବାକୁ ଯାଇଥିଲେ । ଘରର ଅବସ୍ଥା ଭଲ ନଥିଲା । ତେଣୁ ବାହାର ରାଜ୍ୟକୁ ପୁଅ ଯାଇଥିଲା ଦାଦନ ଖଟିବା ପାଇଁ । ନିଜ ଖୁସିକୁ ବଳିଦାନ ଦେଇ ବାପା ମାଆଙ୍କ ସାହାରା ପାଲଟିଥିଲା । ହେଲେ ଏମିତି ଅଦିନିଆ ଝଡ ତାଙ୍କର ସବୁ ଆଶା ସବୁ ସ୍ୱପ୍ନକୁ ଭାଙ୍ଗିରୁଜି ଚୁରମାର କରିଦେବ ସେ କେବେବି ଭାବିନଥିଲେ । ତାମିଲନାଡୁରେ ପୁଣି ଦାଦନ ଶ୍ରମିକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପାଟଣାଗଡ଼ ପୁଟିସବାହାଲର ବୁଧୁ ବରିହା ।

ଗତ ୧୫ ତାରିଖରେ ବୁଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ବି ତାଙ୍କ ମୃତଦେହ ଭିଟାମାଟିକୁ ଫେରିନାହିଁ । ଆଉ ପରିବାର ଲୋକଙ୍କ ଦୁର୍ଭାଗ୍ୟ ଯେ ପୁଅର ମୃତଦେହ ଆଣିବାକୁ ବି ସେମାନେ ଅସମର୍ଥ । ଦୁର୍ଘଟଣାରେ ବୁଧୁଙ୍କ ମୃତ୍ୟୁ ହୋଇଥିବା ପୋଲିସ କହୁଥିଲେ ବି ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ପରିବାର ଲୋକଙ୍କ ଏଭଳି ଅଭିଯୋଗ ଶୁଣିବା ପରେ ତାଙ୍କୁ ହତ୍ୟା କରାଯାଇଛି ନା ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତାକୁ ନେଇ ଏବେ ସନ୍ଦେହ ବଢ଼ିଚାଲିଛି ।

ଚାରି ମାସ ହେବ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ ବୁଧୁ । ଅନ୍ୟପଟେ ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି । ଏନେଇ ପରିବାର ଲୋକେ ବଲାଙ୍ଗିର SPଙ୍କୁ ଭେଟିବା ସହ ଘଟଣାର ସଠିକ ତଦନ୍ତ କରି ବୁଧୁଙ୍କ ମୃତଦେହ ଗାଁକୁ ଫେରାଇ ଆଣିବାକୁ ଦାବୀ କରିଛନ୍ତି । ଦିନକୁ ଦିନ ଦାଦନ ମୃତ୍ୟୁ ବୃଦ୍ଧି ପାଉଥିବା ବେଳେ ଅକାଳରେ ଚାଲି ଯାଉଛି ଜୀବନ ।

ଦୁଃଖ ଏମିତି ବି ଆସେ । ଘରର ପୁଅ ଦାଦନ ଖଟିବାକୁ ଯାଇଥିଲେ ସୁଦୂର ତାମିଲନାଡୁ । ନିଜ ପେଟ ପାଟଣା ସହ ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ ବାହାର ରାଜକୁ ଦାଦନ ଖଟିବାକୁ ହେଲେ ବିଧାତାର ନିୟମ କିଛି ଅଲଗା ଥିଲା । ଅକାଳରେ ଚାଲିଗଲା ବୁଧୁଙ୍କ ଜୀବନ । ଗାଁକୁ କେବେ ପୁଅର ମୃତଦେହ ଫେରିବ ତାକୁ ହିଁ ଏବେ ପରିବାର ଲୋକଙ୍କ ଅପେକ୍ଷା । ତେବେ ପ୍ରକୃତରେ ବୁଧୁଙ୍କ ଜୀବନ କିପରି ଯାଇଛି ତାହା ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିବ ।

Also read: ବଲାଙ୍ଗିର ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ବିଶାଖାପାଟଣାଠାରେ ସନ୍ଦେହଜନକ ମୃତ୍ୟୁ