ଦାଦନ ଖଟିବାକୁ ଯାଇଥିଲେ ତେଲେଙ୍ଗାନା, ଫେରିଲା ମହିଳାଙ୍କ ମୃତଦେହ

ବରଗଡ଼: ଘରେ ଜମିଛି ଲୋକଙ୍କ ଗହଳି । ପାଖରେ ପଡିଛି ମୃତଶରୀର । ଏପଟେ କୋକେଇ ବନ୍ଧା ହୋଇ ରହିଛି । ପରିବାର ଲୋକେ ଯେମିତି ସ୍ଥାଣୁ ପାଲଟିଯାଇଛନ୍ତି । କ’ଣ କରିବେ କ’ଣ ନାଇ କିଛି ବୁଝିପାରୁନାହାନ୍ତି । ସତରେ କ’ଣ ଗରିବଙ୍କ ପାଇଁ ସବୁ ଦୁଃଖ କଷ୍ଟ । ଘର ଚଳାଇବା ପାଇଁ ବାହାର ରାଜ୍ୟକୁ ଯିବା କ’ଣ ଭୁଲ । ଭଗବାନ ଆମ ପରିବାରକୁ ଏତେ ଦୁଃଖ କାହିଁକି ଦେଉଛନ୍ତି । ଏ ପରିବାର ଲୋକଙ୍କୁ ଥରେ ଦେଖନ୍ତୁ ଦର୍ଶକ ବନ୍ଧୁ । ଘରର ଅବସ୍ଥା ଏମିତି ।

ଖାଇବାକୁ ଦି ମୁଠା ଦାନା ମିଳିବା ବି କଷ୍ଟ ହୋଇପଡ଼େ ଏମାନଙ୍କ ପାଇଁ । ଏଭଳି ଦୁଃଖ ଭିତରେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ମହିଳା ଜଣକ ନିଜ ଛୁଆ ପିଲାଙ୍କୁ ନେଇ ରାଜ୍ୟ ବାହାରକୁ ଯାଇଥିଲେ ଦାଦନ ଖଟିବାକୁ । କିନ୍ତୁ ବିଧିର ବିଧାନ ବୋଧ ହୁଏ କିଛି ଅଲଗା ଥିଲା । ଦାଦନ ଖଟିବାକୁ ଯାଇଥିଲେ ମହିଳା ହେଲେ ଫେରିଲା ତାଙ୍କ ମୃତଦେହ । ତେଲେଙ୍ଗାନାର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିବା ‌ବରଗଡ ସଦର ବ୍ଲକ ନାଗେନପାଲି ଗ୍ରାମର ମହିଳା ଶ୍ରମିକଙ୍କ ମୃତଦେହ ଆଜି ଗାଁକୁ ଫେରିଛି ।

ମୃତା ମହିଳା ଶ୍ରମିକ ଜଣଙ୍କ ହେଲେ ହୀରା ମୁଣ୍ଡା । ବରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ନାଗେନପାଲିର ହୀରା ମୁଣ୍ଡା ନିଜ ଛୁଆପିଲା ଧରି ଦାଦନ ଖଟିବାକୁ ତେଲେଙ୍ଗାନା କରିମ ନଗର ଅଞ୍ଚଳର ଏକ କମ୍ପାନୀକୁ କାମ କରିବାକୁ ଯାଇଥିଲେ । ସେଠାରେ ଏକ କ୍ରେନ୍‌ରେ କାମ କରୁଥିବା ସମୟରେ କ୍ରେନ୍ ଛିଣ୍ଡି ବଡ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ମହିଳା ଶ୍ରମିକ ହୀରାଙ୍କ ମୃତ୍ୟୁ ଘଟିଥିଲା । ଏନେଇ ତେଲେଙ୍ଗାନାର ରାଜ୍ୟର କୋଠପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ଠିକାଦାର ଜଣଙ୍କ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କ ମୃତଦେହ ଗାଁକୁ ପଠାଇ ଦେଇଥିଲେ । ହୀରାଙ୍କ ଏଭଳି ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ ତଥା ଗ୍ରାମବାସୀ । ଯେଉଁଥିପାଇଁ ପୁରା ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ମୃତକଙ୍କ ପରିବାର ବର୍ଗ ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ସରକାରଙ୍କୁ ଗୁହାରି କରିଛନ୍ତି । ଯାହାଦ୍ୱାରା ହୀରାଙ୍କ ଛୁଆ ପିଲା ପାଠ ପଢି ବଡ଼ ମଣିଷ ହୋଇପାରିବେ ।

Also read: ଚାଲିଗଲା ନବଜାତ ଶିଶୁକନ୍ୟାର ଜୀବନ, ନ୍ୟାୟ ପାଇଁ ଅଭିଯୋଗ କରି ନିରାଶରେ ଫେରିଲେ ପରିବାର ଲୋକେ