ଅଧାପନ୍ତରିଆ ହୋଇ ପଡି ରହିଛି ଦଦରାଘାଟି ପର୍ଯ୍ୟଟନ ସ୍ଥଳି

କାମାକ୍ଷାନଗର: ପର୍ଯ୍ୟଟନ ଋତୁ ଆସିଲେ ନୂଆ ଯାଗାକୁ ବୁଲିବାକୁ ଇଚ୍ଛା ହୋଇଥାଏ । ଆଉ ଏହାରି ଭିତରେ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇଥାଏ ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରପୂର ଥିବା ସ୍ଥାନଟିଏ । ବଣ ପାହାଡ ଘେରା ଜାଗାରେ ଭୋଜି କରି ଦିନଟିକୁ ଉପଭୋଗ କରିବା ପାଇଁ । ପର୍ଯ୍ୟଟନର ବିକାଶ ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ହେଲେ ଗ୍ରାଉଣ୍ଡରେ ତାହା କେତେ କାମରେ ଲାଗୁଛି ତାହା ଏହି ଦଦରାଘାଟି ଡ୍ୟାମକୁ ଦେଖିଲେ ଅନୁଭବ କରି ହୁଏ । ରାଜ୍ୟର ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇବା ପରେ ମଧ୍ୟ ଏଠାରେ କୈାଣସି ଉନ୍ନତି ମୂଳକ କାର୍ଯ୍ୟ ଆଗେଇ ପାରୁ ନାହିଁ । ପ୍ରକୃତିର କୋଳରେ ଥିବା ସବୁ ଅଞ୍ଚଳ ଏବେ ଅଣଦେଖା । ଜାତୀୟ ରାଜପଥର ପାର୍ଶ୍ବରେ ଥିବା ଏହି ପର୍ଯ୍ୟଟନ ସ୍ଥଳି ପିକନିକ ସମୟରେ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥାଏ ।

୩ରୁ ୪ବର୍ଷ ପୂର୍ବେ ଏହି ପର୍ଯ୍ୟଟନ ସ୍ଥଳିର ବିକାଶ ପାଇଁ ଏହାର ଉପର ଭାଗରେ ଏକ ପାର୍କ ନିର୍ମାଣ କରିବା ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ କଟେଜ ବ୍ୟବସ୍ଥା,ଆଲୋକିକରଣ,ପାନିୟ ଜଳର ବ୍ୟବସ୍ଥା ପାଇଁ କାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହି ସବୁ କାମ ଏବେ ଅଧାପନ୍ତରିଆ ଭାବେ ପଡି ରହିଛି । ନିମ୍ନ ମାନର କାମ ସାଙ୍ଗକୁ ମନ୍ଥର ଗତିରେ କାମ ହେଉଥିବା ଯୋଗୁ ପର୍ଯ୍ୟଟକ ମାନେ ବଣଭୋଜି କରିବା ପାଇଁ ଅସୁବିଧାର ସମୁଖିନ ହେଉଛନ୍ତି ।

ଏଠାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଭୋଜି ସ୍ଥଳରେ ବଣ ଭୋଜି କରି ବେଶ ମଜା ଉଠାଇଥାନ୍ତି । ତେବେ ଏଠାରେ ନିର୍ମିତ ହୋଇଥିବା ଭୋଜି ମଣ୍ଡପ,ବସିବା ପାଇଁ ଥିବା ଚୈାକି ସବୁ ଅନାବନା ଜଙ୍ଗଲରେ ପୂର୍ଣ୍ଣ ହୋଇପଡ଼ିଛି । ବର୍ଷର ପ୍ରତିଟି ସମୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଏହି ଦଦରାଘାଟି ଡ୍ୟାମ । ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି ଏହି ସୌନ୍ଦର୍ଯ୍ୟମୟ ପର୍ଯ୍ୟଟନ ସ୍ଥଳୀ। ଲୋକଲୋଚନକୁ ଆସୁ ନ ଥିବା ଯୋଗୁଁ ପର୍ଯ୍ୟଟକମାନେ ଏ ସବୁର ଉପଭୋଗରୁ ବଞ୍ଚିତ ହେଉଛନ୍ତି । ଏହି ସ୍ଥାନର ପାରିପାଶ୍ୱିର୍କ ବିକାଶ ପାଇଁ ପଦକ୍ଷେପ ନିଆଗଲେ ପର୍ଯ୍ୟଟନର ବିକାଶ ହେବା ସହ ଏକ ଉନ୍ନତ ଆର୍ଥିକ ଅଭିବୃଦ୍ଧି ହୋଇପାରିବ ।