କେନ୍ଦୁଝରର କେନାଲ ମ୍ୟାନ୍ : ପାହାଡ ଛାତି ଚିରି ନିଜ ଗାଁକୁ ବୁହାଇ ଆଣିଲେ ଝରଣା

କେନ୍ଦୁଝର : ଓଡ଼ିଶାର ମାଉଣ୍ଟେନ୍ ମ୍ୟାନ୍ ଜଳନ୍ଧର ନାୟକ । ପାହାଡ଼ ଛାତି ଚିରି ନିଜ ଗାଁକୁ ୧୫ କିଲୋମିଟର ରାସ୍ତା ତିଆରି କରି ଆସିଥିଲେ ଚର୍ଚ୍ଚାକୁ । ଏବେ କେନ୍ଦୁଝର ଜିଲ୍ଲା ବାଂଶପାଳର କେନାଲ୍ ମ୍ୟାନ୍ ଦୈତ୍ୟାରି ନାୟକ ପାହାଡ ବୁକୁ ଚିରି ନିଜ ଗାଁକୁ ବୁହାଇ ଆଣିଛନ୍ତି ଝରଣା । ତାଙ୍କର ୩ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ବୈତରଣୀ ଗାଁ ଚାଷ ଜମିରେ ମାଡ଼ିଛି ଝରଣା ପାଣି । ଦେଢ଼ କିଲୋମିଟର ପାହାଡ଼କୁ କାଟି ନାଳ ତିଆରି କରିଛନ୍ତି ଦୈତ୍ୟାରି । ପ୍ରଥମେ ପ୍ରଥମେ ତାଙ୍କ କାମକୁ ଦେଖି ଗାଁ ଲୋକେ ହସୁଥିଲେ । ଏବେ ଭୂରି ଭୂରି ପ୍ରଶଂସା କରୁଛନ୍ତି । ଦୈତ୍ୟାରିଙ୍କୁ ଭେଟିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ପାହାଡ଼ ଚଢ଼ି ଦୈତ୍ୟାରି ଖୋଳିଥିବା ନାଳ ବୁଲି ଦେଖିଥିଲେ ।
ସେହିପରି ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତର ଆଉ ଜଣେ ଚାଷୀ ନିଙ୍ଗ ମୁଣ୍ଡା । ପାହାଡ଼ କାଟି ଝରଣାକୁ ଗାଁ ମୁହାଁ କରାଇ ପାରିଛନ୍ତି । ତିନି ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଗାଁକୁ ଆସିଲା ଜଳାଧର । ପିଇବା ପାଣି ସହ କ୍ଷେତକୁ ଜୀବନ ମିଳିଲା ।
ବିହାରର ମାଉଣ୍ଟେନ୍ ମ୍ୟାନ୍ ଦଶରଥ ମାନ୍ଝୀ ପାହାଡ଼ କାଟି ନିଜ ଗାଁକୁ ରାସ୍ତା ତିଆରି କରିଥିଲେ । ତାଙ୍କ ଉପରେ ଏକ ହିନ୍ଦି ଫିଲ୍ମ ବି ହୋଇଛି । ସେହିପରି ନିଜ ଉଦ୍ୟମ ଓ ଦୁଃସାହସିକ କାମ ପାଇଁ କନ୍ଧମାଳର ଜଳନ୍ଧରଙ୍କ ପରେ କେନ୍ଦୁଝର ଜିଲ୍ଲାର ଦୁଇ ଚାଷୀ ଦୈତ୍ୟାରି ଓ ନିଙ୍ଗ ମୁଣ୍ଡା ପାହାଡ଼ କାଟି ଝରଣା ପାଣି ଗାଁକୁ ଆଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ।