ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା

ଗଜପତି : ଯୁଆଡ଼େ ଚାହିଁବ ଖାଲି କୁଢ଼ କୁଢ଼ ମଦ ବୋତଲ ସାଙ୍ଗକୁ ପଡ଼ି ରହିଛି ପାଣି ବୋତଲ। ଏ ହେଉଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଖଜୁରୀପଦା ଠାରେ ଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା। ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ପ୍ରାୟ ୮୦ ପ୍ରତିଶତ ଅଞ୍ଚଳ ପାହାଡିଆ। ବଡ଼ବଡ଼ିଆ ମାନେ ଜିଲ୍ଲା ପରିଦର୍ଶନରେ ଆସିଲେ ସେମାନଙ୍କ ବିଶ୍ରାମ ନିମନ୍ତେ ଦୁର୍ଗମ ନୂଆଗଡ ବ୍ଲକର ଖଜୁରୀପ଼ଦା ଠାରେ ଥିବା ପୂର୍ତ୍ତ ବିଭାଗର ଏକ ପରିଦର୍ଶନ ବଙ୍ଗଳା ଠାରେ ବିଶ୍ରାମ ନେଉଥିଲେ। ଯେଉଁ ବଙ୍ଗଳା ବଡ଼ବଡ଼ିଆଙ୍କୁ ବିଶ୍ରାମ ଯୋଗାଉଥିଲା, ଆଜି ସେ ବିଶ୍ରାମରେ। ବଡ଼ବଡ଼ିଆଙ୍କୁ ଆତିଥ୍ୟ ପ୍ରଦାନ କରିବା ଲାଗି ପୂର୍ତ୍ତ ବିଭାଗ ପରିଦର୍ଶନ ଡାକ ବଙ୍ଗଳା ଅଛି ହେଲେ କାମରେ ଲାଗୁନି।
ବର୍ତ୍ତମାନ ଏ ଅସାମାଜିକ ବ୍ୟକ୍ତି ତଥା ମଦୁଆ, ଯୁଆଡିଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ପୁର୍ବରୁ ଡାକ ବଙ୍ଗଳାରେ ଗୋଟିଏ କନିଷ୍ଠ ଯନ୍ତ୍ରୀ, ଦୁଇଟି ପିଅନ ଓ ଗୋଟିଏ ରାତି ଜଗୁଆଳି ରହୁଥିଲେ, ପରିବେଶ ବି ସଫାସୁତୁରା ରହୁଥିଲା । ହେଲେ ସେଠି କେହି କର୍ମଚାରୀ ନଥିବାରୁ ସବୁବେଳେ ତାଲା ଝୁଲି ରହିବା ସହିତ ଲତା ବୁଦା ରେ ପରିପୂର୍ଣ୍ଣ ହୋଇଗଲାଣି। କହିବାକୁ ଗଲେ ଭୂତ କୋଠୀ ପାଲଟି ଯାଇଛି ପରିଦର୍ଶନ ଡାକ ବଙ୍ଗଳା। ଅନ୍ୟପଟେ ଡ଼ାକ ବଙ୍ଗଳାଟି ଆଗକୁ ଦେଖିବାକୁ ଯେତିକି ଚାକ ଚିକ୍କଣ ଭିତରେ ତାର ବାସ୍ତବ ଚିତ୍ର ଅଲଗା। କର୍ମଚାରୀ ମାନଙ୍କ ଘର ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ। କେଉଁଠି ଟିଣ କଣା ହୋଇ ପାଣି ଗଳୁଛି ତ କୋଉଠି ସୂର୍ଯ୍ୟ ଚନ୍ଦ୍ର ଦିଶୁଛି କେଉଁଠି କିଛି କାନ୍ଥ ଭୁଶୁଡ଼ି ଯାଇଛି ଏବଂ ଆଉ କିଛି କାନ୍ଥ ଫାଟି ଆଁ କରିଛି।
ବାରମ୍ବାର ବିଭାଗୀୟ ଅଧିକାରୀ ହେଉ ବା ଜିଲ୍ଲା ଅଧିକାରୀଙ୍କୁ ସ୍ଥାନୀୟ ଯୁବଗୋଷ୍ଠୀ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ବ୍ରହ୍ମପୁର ପାରଳାଖେମୁଣ୍ଡି ମୁଖ୍ୟ ରାଜରାସ୍ତା ୩୨୬A ରାସ୍ତା ପାର୍ଶ୍ବରେ ଥାଇ ଖଜୁରୀପଡ଼ା ଗାଆଁ କୁ ଏକ ପରିଚୟ ଦେଇ ଆସୁଥିଲା ଏହି ଡାକ ବଙ୍ଗଳା କିନ୍ତୁ ଆଜି ସେ ନିଜେ ପରିଚୟ ହଜାଇବାରେ ଲାଗିଛି । ଏବେ ଏହାର ରକ୍ଷଣା ବେକ୍ଷଣ ଉପରେ ଉପରେ ଗୁରୁତ୍ବ ଦେବାକୁ ସଧାରଣ ଅଭିଯୋଗ ହେଉଛି ।