ପିପିଲି (କେନ୍ଯୁଜ୍) : ପୁରୀ ଜିଲ୍ଲା ବୀରଗୋବିନ୍ଦପୁରରେ ଥିବା ମା’ ଦକ୍ଷିଣକାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମନ୍ଦିରର ରଙ୍ଗ କାର୍ଯ୍ୟ ଠାରୁ ଆରମ୍ଭ କରି ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏବେ ଜୋରଦାର ଆରମ୍ଭ ହୋଇଛି । ଆସନ୍ତା ମଙ୍ଗଳବାର ରାତିରେ ମା’ଙ୍କ ସ୍ୱତନ୍ତ୍ର ପୂଜା କାର୍ଯ୍ୟ ସମାପନ ହେବା ପରେ ବୁଧବାର ମା’ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।
ତେବେ ବର୍ତ୍ତମାନ ଚାଲିଛି ମା’ଙ୍କର ରଙ୍ଗ କାମ । ବିଭିନ୍ନ ପ୍ରକାର ରଙ୍ଗରେ ସଜ୍ଜା ଯାଇଛି ମା’ଙ୍କୁ । କାମ କିପରି ଠିକ୍ ସମୟ ଭିତରେ ସମ୍ପୂର୍ଣ୍ଣ ହେବ ସେଥିପାଇଁ ଜୋର ସୋରରେ ଲାଗି ପଡ଼ିଛନ୍ତି କାରୀଗରମାନେ । ପବିତ୍ର ଦିପାବଳୀ ଅମାବାସ୍ୟା ଅବସରରେ ମାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବ । ସେଥିପାଇଁ ନିଜ କାର୍ଯ୍ୟରେ ନିମଗ୍ନ ଅଛନ୍ତି କାରିଗରମାନେ । ଶ୍ମାଶନରୁ ମାଟି ଆସିବା ପରେ ଦୀର୍ଘ ପନ୍ଦର ଦିନ ଧରି ମୂର୍ତ୍ତି ଗଢିବାରେ ଲାଗିପଡିଥାନ୍ତି ଏହି କାରିଗରମାନେ ।
ନିଶାର୍ଦ୍ଧରେ ମା’ଙ୍କର ଷୋଡ଼ଶ ଉପଚାର କରାଯାଇ ପୂଜାର୍ଚ୍ଚନା କାରାଯିବାର ବିଧି ରହିଛି ବୋଲି ସେବାୟତମାନେ କହିଛନ୍ତି । ମା’ ଦକ୍ଷିଣକାଳୀଙ୍କର ଏହି ମୃଣମୟୀ ରୂପ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ବେଶ ଭିଡ଼ ଜମିଥାଏ । ଏହି ରୂପକୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମାଆଙ୍କ ଏହି ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିବ । ମା’ ଦକ୍ଷିଣକାଳୀ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ । ସେଥି ପାଇଁ ସୁଦୂର କୋଲକାତା ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି ଏହୀ ପୀଠକୁ । ଅନେକ ମଧ୍ୟ ରାତି ତମାମ ଉଜାଗର ରହି ମା’ଙ୍କ ଦର୍ଶନ କରିଥାନ୍ତି ।