ଜୀବନ୍ତ ହେବ ଡାକୋଟା କାହାଣୀ, ଭୁବନେଶ୍ୱର ବିମାନବନ୍ଦରରେ ଆରମ୍ଭ ହେଲା ମରାମତି କାମ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରେ ଥିବା ଷ୍ଟେଟ ହ୍ୟାଙ୍ଗରରେ ବିଜୁ ବାବୁଙ୍କ ଡାକୋଟାର ପେଣ୍ଟିଂ, ଡେଣ୍ଟିଂ କାମ ଚାଲିଛି। ଏହାପରେ ଡାକୋଟା ବିମାନର ବିଭିନ୍ନ ଅଂଶକୁ ପୁଣି ଥରେ ଷ୍ଟେଟ୍‌ ହ୍ୟାଙ୍ଗରରୁ ଟ୍ରେଲର ଜରିଆରେ ଟର୍ମିନାଲ-୧ ସମ୍ମୁଖକୁ ଅଣାଯିବ। ସେଠାରେ ଏହାକୁ ରି-ଆସେମ୍ବଲ କରାଯିବ। ଟର୍ମିନାଲ-୧ ବିଲ୍ଡିଂ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ୧.୧ ଏକର ଜାଗା ଉପରେ ଡାକୋଟା ପ୍ଲେନକୁ ରଖାଯିବ ।

ମାର୍ଚ୍ଚ ୫ରେ ସର୍ବସାଧାରଣଙ୍କ ପାଇଁ ଏହାକୁ ଲୋକାର୍ପଣ କରାଯିବାର ଯୋଜନା ରହିଛି। ଡାକୋଟାର ବଡି, ଇଞ୍ଜିନ, ୱିଙ୍ଗ ଓ ବିଭିନ୍ନ ପାର୍ଟ ନଷ୍ଟ ହୋଇଯାଇଛି। ତେଣୁ ଏସବୁର ମରାମତି କରାଯିବ । ଏଥିପାଇଁ ରାଜ୍ୟ ସରକାର ଏକ ଏଜେନ୍ସିକୁ ନିୟୋଜିତ କରିଛନ୍ତି।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତିର ସନ୍ତକ ଡାକୋଟା ବିମାନର ଲମ୍ବ ପ୍ରାୟ ୬୪.୮ ଫୁଟ୍‌ । ଡେଣାକୁ ମିଶାଇଲେ ଲମ୍ବ ପ୍ରାୟ ୯୫ ଫୁଟ୍‌ ହେବ। ଦୀର୍ଘବର୍ଷ ଧରି କୋଲକାତା ଏୟାରପୋର୍ଟରେ ଏହା ପଡ଼ି ରହିଥିଲା। ପ୍ରାୟ ୮ଟନ ଓଜନ ଏହି ଡାକୋଟା ବିମାନକୁ ଓଡ଼ିଶା ଫେରାଇ ଆଣିଛନ୍ତି ରାଜ୍ୟ ସରକାର । ୧୯୪୭ ଜୁଲାଇରେ ବିଜୁ ବାବୁ ଡାକୋଟା ବିମାନରେ ଇଣ୍ଡୋନେସିଆର ତତ୍କାଳୀନ ଉପ ରାଷ୍ଟ୍ରପତିଙ୍କୁ ଡଚ୍‌ଙ୍କ କବଳରୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଏଥିପାଇଁ ଇଣ୍ଡୋନେସିଆ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହୋଇଥିଲେ ବିଜୁ ବାବୁ। ଆଉ ଏହି ଡାକୋଟା ରାଜ୍ୟର ଯୁବପିଢ଼ିଙ୍କୁ ଉଦବୁଦ୍ଧ କରିବ ।

ଦୁର୍ଦ୍ଧର୍ଷ ପାଇଲଟ ବିଜୁ ପଟ୍ଟନାୟକଙ୍କ ଦ୍ୱାରା କଳିଙ୍ଗ ଏୟାର ଲାଇନ୍ସ ସ୍ଥାପନ କରାଯାଇଥିଲା। ଯେଉଁଥିରେ ୧୪ରୁ ଅଧିକ ଡାକୋଟା ବିମାନ ଥିଲା। ଏହାର ମୁଖ୍ୟାଳୟ କୋଲକାତାରେ ରହିଥିଲା। ଡାକୋଟାକୁ ଫେରାଇ ଅଣାଯିବା ସହ ସବୁ ସ୍ମୃତି ଓଡ଼ିଶାବାସୀଙ୍କ ମଧ୍ୟରେ ତାଜା ହୋଇଉଠିଛି ।