ଯାଜପୁର : ବରୀ ଥାନାରେ ପୋଲିସର ଅମାନୁଷିକ ମାଡ, ଦଳିତ ଯୁବକଙ୍କୁ ନିର୍ଯାତନା ଅଭିଯୋଗ

ଯାଜପୁର (କେନ୍ୟୁଜ): ଥାନାରେ ଦଳିତ ଯୁବକଙ୍କୁ ମାଡ ମାରିବା ସହ ନିର୍ଯାତନା ଦେବା ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବରୀ ରାମଚନ୍ଦ୍ରପୁର ଥାନାରୁ । ଅଭିଯୋଗ ମୁତାବକ, ବରୀ ପଂଚାୟତର ଶରତ ମଲିକଙ୍କ ପୁଅ ବାଙ୍କୁ ମଲିକ ତାଙ୍କ ସାହିର ଏକ ଝିଅକୁ ମାସେ ତଳେ କେଊଁ ଆଡେ ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ଖୋଜାଖୋଜି ଜାରି ରଖିଛି । ଏହି ମାମଲାରେ ବାଙ୍କୁର ବଡବାପା ପୁଅ ବାବୁଲି ମଲିକକୁ ଥାନାରେ ହାଜିରା ଦେବାକୁ ପୋଲିସ ଡାକୁଥିଲା ।

ସବୁଦିନ ପରି ଗତକାଲି ବାବୁଲି ଥାନାକୁ ହାଜିରା ଦେବାକୁ ଯାଇଥିବା ସମୟରେ ଥାନାର ଏଏସଆଇ ଏସ.ବକ୍ସ ତାଙ୍କୁ ଖୁବ ଜୋରରେ ବାଡେଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କଦେହ ସାରା ମାଡ ଚିହ୍ନ ଦେଖିବାକୁ ମିଳିଛି। ମାଡ ଖାଇବା ପରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଯାଇଛି ।

ଜଣେ ଦଳିତ ଯୁବକଙ୍କୁ ପୋଲିସ ଏଭଳି ଅମାନୁଷିକ ମାଡ ମାରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଏନେଇ ଯୁବକଙ୍କ ମା ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏସଂପର୍କରେ ପୋଲିସର କୈାଣସି ପ୍ରତିକ୍ରୀୟା ମିଳିପାରି ନାହିଁ।

Leave A Reply

Your email address will not be published.