ମୟୂରଭଞ୍ଜରେ ଚାଲିଛି ସାନ୍ତାଳୀଙ୍କ ଦାମୋଦର ମେଳା , ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରୁଛନ୍ତି ଆତ୍ମୀୟସ୍ୱଜନ

ବାରିପଦା(କେନ୍ୟୁଜ୍) : ବାରିପଦାର ୩ ନମ୍ବର ସଙ୍ଗମ ସ୍ଥଳୀ ବାରୁଣୀ ଘାଟ । ଲକ୍ଷାଧିକ ଜନସମାଗମରେ ଚାଲିଛି ଦାମୋଦର ମେଳା । ଦାମୋଦର ମେଳା କହିଲେ ସାନ୍ତାଳୀ ସମ୍ପ୍ରଦାୟର ସାମୂହିକ ଅସ୍ଥି ବିସର୍ଜନକୁ ବୁଝାଇଥାଏ । ମୃତ୍ୟୁ ପରେ ସଂସ୍କାରର ଶେଷ ପର୍ବ । ଏହି କାର୍ଯ୍ୟକୁ କେହି କେହି ଦୂରଯାତ୍ରା ବୋଲି ମଧ୍ୟ କହିଥାନ୍ତି । ସାନ୍ତାଳି ସମ୍ପ୍ରଦାୟର ଏହି ମେଳା ୩ ଦିନ ଧରି ଚାଲିଥାଏ । ଆତ୍ମୀୟସ୍ୱଜନଙ୍କ ଅସ୍ଥିକୁ ଏହି ସଙ୍ଗମରେ ବିସର୍ଜନ କରିଥାନ୍ତି ।
ଖାଲି ଜିଲ୍ଲା ନୁହେଁ, ପଡୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରୁ ମଧ୍ୟ ସାନ୍ତାଳୀ ପରିବାର ଏଠାରେ ଏକତ୍ରିତ ହୋଇଥାନ୍ତି । ସେପଟେ ଏହି ମେଳାକୁ ସରକାରଙ୍କ ତରଫରୁ କୌଣସି ପ୍ରୋତ୍ସାହନ ମିଳିପାରିନାହିଁ। କେବଳ ଆୟୋଜକ କମିଟିର ପ୍ରଚେଷ୍ଟାରେ ବଞ୍ଚିରହିଛି ଏହି ପରମ୍ପରା ।