ଲକ୍ଷାଧିକ ଜନସାମଗମରେ ଚାଲିଛି ଦାମୋଦର ମେଳା, ଆଦିମ କାଳରୁ ଚାଲୁଛି ଏହି ପରମ୍ପରା

ମୟୁରଭଞ୍ଜ ଆଦିବାସୀ ଓ କୁଡୁମୀ ସମ୍ପ୍ରଦାୟ ପାଳନ କରନ୍ତି ଗଣପର୍ବ ମକରପର୍ବ । ଆଉ ଏହି ମକରପର୍ବ ପାଳନ ପାଇଁ ମୟୁରଭଞ୍ଜର ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ବେଶ ଚଳଚଞ୍ଚଳ । କେବଳ ଆଦିବାସୀ ନୁହେଁ ସମଗ୍ର ଉତ୍ତର ଓଡ଼ିଶା ବାସୀ ଏହି ପର୍ବକୁ ଗଣପର୍ବ ରୂପେ ପାଳିଥାନ୍ତି ।
ବାରିପଦା ଠାରେ ଥିବା ୩ ନଦୀର ସଙ୍ଗମ ସ୍ଥଳ ବାରୁଣୀ ଘାଟ । ଏଠାରେ ଦାମୋଦର ମେଳା ଲକ୍ଷାଧିକ ଜନସାମଗମରେ ଚାଲିଛି । ମୟୁରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମୁହଙ୍କ ମଧ୍ୟରେ ସାନ୍ତାଳ ଜନଜାତି ଅନ୍ୟତମ । ଏହି ଜନଜାତିର ନିଆରା ପରମ୍ପରା ହେଉଛି ଦାମୋଦର ମେଳା । ଦାମୋଦର ଯାତ୍ରା କହିଲେ ମୁଖ୍ୟତଃ ସାନ୍ତାଳୀ ସମ୍ପ୍ରଦାୟର ଜାଙ୍ଗ୍ ବାହ ବହେଲ ଅର୍ଥାତ ସାମୁହିକ ଅସ୍ଥି ବିସର୍ଜନକୁ ବୁଝାଇଥାଏ । ମୃତ୍ୟୁ ସଂସ୍କାରର ଶେଷ ପର୍ବ । ଏହି ସଂସ୍କାର କାର୍ଯ୍ୟକୁ କେହି କେହି ଜିଲିଞ୍ଜ ଡାହାର ଅର୍ଥାତ ଦୂରଯାତ୍ରା ବୋଲି କହିଥାନ୍ତି । ମୃତ୍ୟୁ ଲୋକରୁ ଜନ୍ମ ଲୋକକୁ ଆସିବା ମଧ୍ୟରେ ସେ ଏକାକୀ ଅବସ୍ଥାନ ନକରୁ ଏହି ଭାବନାର ବଶବର୍ତ୍ତି ହୋଇ ସାନ୍ତାଳ ସମ୍ପ୍ରଦାୟ ଆଡମ୍ୱର ସହକାରେ ପାଳିଥାନ୍ତି ଏହି ଦାମୋଦର ଯାତ୍ରା । ପ୍ରତ୍ୟେକ ସାନ୍ତାଳ ପରିବାର ସେମାନଙ୍କର ଆତ୍ମୀୟ କିମ୍ୱା ପରିଜନର ମୃତ୍ୟୁ ପରେ ଅସ୍ଥିକୁ ଗଙ୍ଗାନଦୀରେ ବିସର୍ଜନ ପାଇଁ ମାଟିରେ ପୋତି ରଖନ୍ତି । ମାତ୍ର ଅର୍ଥିକ ଦୁର୍ବଳତା ଯୋଗୁଁ ଗଙ୍ଗା ନଦୀକୁ ଯାଇ ନ ପାରି ବାରିପଦା ସହର ଉପକଣ୍ଠ ବୁଢାବଳଙ୍ଗ, ଜରାଳୀ ଓ ସରାଳୀ ନଦୀ ସଂଗମ ସ୍ଥଳୀ ବାରୁଣୀ ଘାଟରେ ମକର ସଂକ୍ରାନ୍ତି ପର ୩ ଦିନ ପର୍ଯ୍ୟନ୍ତ ପାଳନ କରନ୍ତି ଏହି ପର୍ବ । କାହିଁ ଆଦିମ କାଳରୁ ଚାଲି ଅସୁଛି ଏହି ପରମ୍ପରା । ନିଜ ଆତ୍ମୀୟ ପରିଜନଙ୍କ ଅସ୍ଥି ବିସର୍ଜନ କରି ମୋକ୍ଷ କାମନା କରନ୍ତି ଏହି ସାନ୍ତାଳୀ ସମ୍ପ୍ରଦାୟର ଜନଜାତି ।
କୁହାଯାଏ ରାଜତନ୍ତ୍ର ସମୟରୁ ହିଁ ଚାଲି ଆସିଛି ଏହି ପରମ୍ପରା । ଗଙ୍ଗା ଅସ୍ଥି ପାଇଁ ପ୍ରଜାଙ୍କୁ ଅସୁବିଧାର ସମ୍ମୁଖୀନ ହେବାରୁ ମୟୁରଭଞ୍ଜ ଜିଲ୍ଲାର ଭଞ୍ଜବଂଶୀୟ ମହାରାଜା ଏହି ବାରିପଦା ଠାରେ ତ୍ରୀବେଣୀ ସଂଙ୍ଗମ ସ୍ଥଳରେ ଏହି ପରମ୍ପରାର ଶୁଭାରମ୍ଭ କରିଥିଲେ । ସେହି ଦିନ ଠାରୁ ଏହି ଘାଟର ନାଁ ଆଦିବାସୀଙ୍କ ଦାମଦୋର ଯାତ୍ରାକୁ ନେଇ ଦାମଦୋର ଘାଟ ରହି ଆସିଛି ।
କେବଳ ମୟୁରଭଞ୍ଜ ଜିଲ୍ଲା ନୁହେଁ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାନ୍ତାଳ ସମ୍ପ୍ରଦାୟ ପରିବାର ସମେତ ପୋଡଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ମଧ୍ୟ ସାନ୍ତାଳୀ ପରିବାର ଏକତ୍ରିତ ହୋଇଥାନ୍ତି ଏଠାରେ । ଆଦିମ କାଳରୁ ଚାଲିଆସିଛି ଏହି ପରମ୍ପରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ସାନ୍ତାଳୀ ସମ୍ପ୍ରଦାୟର ସଦସ୍ୟମାନେ ଏହି ଦାମୋଦର ମେଳାରେ ଆସିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସହଯୋଗର ହାତ ବଢାଇ ଦିଆଯାଇଛି ।