ଭିତରକନିକାର ହବାଳିଖଟିରେ ଲ୍ୟାଣ୍ଡଫଲ କଲା ‘ଦାନା’, ଆଉ ୨ ଘଣ୍ଟା ରହିବ ବାତ୍ୟାର ପ୍ରକୋପ

ଭୁବନେଶ୍ୱର : ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କଲା ଦାନା । ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟ ଦେଇ ସ୍ଥଳ ଭାଗ ଅତିକ୍ରମ କଲା ବାତ୍ୟା ଦାନା । ରାତି ୧ .୩୦ ମିନିଟରୁ ଭୋର ୩. ୩୦ ମିନିଟ୍ ମଧ୍ୟରେ ବାତ୍ୟାର ମଧ୍ୟ ଭାଗ ଅତିକ୍ରମ କଲା ସ୍ଥଳ ଭାଗ। ବାତ୍ୟାର ପଛ ଭାଗ ଏବେ ସ୍ଥଳ ଭାଗ ଅତିକ୍ରମ କରୁଛି। ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ତୀବ୍ରତା ଥିଲା ୧୦୦ରୁ ୧୨୦ କି.ମି ପ୍ରତି ଘଣ୍ଟା। ବାତ୍ୟାର ପଛ ଭାଗ ଏବେ ସ୍ଥଳ ଭାଗ ଅତିକ୍ରମ କରୁଛି । କିଛି ସମୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବ ।
ବର୍ତ୍ତମାନ ବାତ୍ୟା ଧାମରାଠାରୁ ଉତ୍ତରରେ ୧୫ କିଲୋମିଟର ଏବଂ ହବାଳିଖଟି ନେଚର କ୍ୟାମ୍ପର ଉତ୍ତର-ଉତ୍ତର ପଶ୍ଚିମଠାରୁ ୩୦ କିଲୋମିଟର ଦୂରରେ ରହିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଓଡ଼ିଶା ଅତିକ୍ରମ କରିବ। ମଧ୍ୟାହ୍ନ ପୂର୍ବରୁ ବାତ୍ୟା ଦୁର୍ବଳ ପଡ଼ିବ ବୋଲି ଅନୁମାନ କରାଯାଉଛି । ଆଜି ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରର ଅନେକ ସ୍ଥାନରେ ପ୍ରବଳ ବେଗରେ ପବନ ବହିଥିଲା । କିଛି ସ୍ଥାନରେ ଗଛ ଉପୁଡିଛି। ବର୍ତ୍ତମାନ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।