ଉଦଳା ପ୍ରିମିଅର ଲିଗରେ ଝୁମିଲେ ଦର୍ଶକ, ହସି ହସି ଗଡିଲେ

ଉଦଳା : ପ୍ରିମିଅର ଲିଗରେ ଝୁମିଲେ ଦର୍ଶକ । ନେଲେ ଭରପୁର ମଜା । ନିଆରା ଷ୍ଟାଇଲ୍‌ରେ କ୍ରିକେଟ୍ ମ୍ୟାଚ୍ । ଯାହାକୁ ଦେଖିବା ପାଇଁ ଜମିଥିଲା ଲୋକଙ୍କ ଭିଡ। ଆପଣ ଭାବୁଥିବେ ମ୍ୟାଚ୍‌ ଦେଖିବା ପାଇଁ ଭିଡ ଜମିଥିଲା ଏଥିରେ ବଡ଼ କଥା କଣ । କିନ୍ତୁ ପ୍ରକୃତ କଥାଟା ହେଲା କି କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ପାଇଁ ଯେତିକି ଲୋକେ ଆସିନଥିଲେ ଆସିଥିଲେ କ୍ରିକେଟ ମ୍ୟାଚ୍‌ରେ ଥିବା ଅମ୍ପାୟାର ଜଣଙ୍କୁ ଦେଖିବା ପାଇଁ । ଆପଣ ପୁଣି ଭାବୁଥିବେ ଅମ୍ପାୟାରଙ୍କୁ ଦେଖିବା ପାଇଁ କାହିଁକି ଆସିଥିଲେ ଲୋକେ ? କାରଣ ଏଇ ଡ୍ୟାନ୍ସିଂ ଅମ୍ପାୟାର ଜଣକୁ ଦେଖିବା ପାଇଁ । ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଏହି ଡ୍ୟାନ୍ସିଂ ଅମ୍ପାୟାର । ଖେଳ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଅମ୍ପାୟାର ଜଣଙ୍କ ଛକା, ଚଉକା ଏବଂ ଆଉଟ ହେବାର ସୂଚନାକୁ ସଙ୍ଗୀତର ତାଳେ ତାଳେ ଡ୍ୟାନ୍ସ କରି ଭିନ୍ନ ଅନ୍ଦାଜରେ ଜଣାଉଥିଲେ । ଅମ୍ପାୟାରଙ୍କ ଡ୍ୟାନ୍ସ ଦେଖି ଦର୍ଶକମାନେ ଭରପୁର ମଜା ଉଠାଇଥିଲେ । ଖେଳ ଦେଖିବା ସହିତ ଅମ୍ପାୟାରଙ୍କ ଡ୍ୟାନ୍ସିଂ ଅନ୍ଦାଜ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲା ।

ଅମ୍ପାୟାର ନିଜର କୌତୁହଳପୂର୍ଣ୍ଣ ଢଙ୍ଗରେ ଖେଳ ପ୍ରେମୀଙ୍କୁ ବାନ୍ଧି ରଖିଥିଲେ l କେତେବେଳେ ଭୂଇଁରେ ଗଡି ତ କେତେବେଳେ ମୁଣ୍ଡ ତଳେ ଗୋଡକୁ ଉପରେ କରି, କେତେବେଳେ ଟେଙ୍ଗେ ଟେଙ୍ଗେ ଗୀତର ଆକ୍ସନ୍ କରୁଥିଲେ ତ କେତେବେଳେ ଆଉ କେଉଁ ଗୀତରେ ମଜାଳିଆ ଅଙ୍ଗ ଭଙ୍ଗି ଦେଉଥିଲେ। ବିଭିନ୍ନ ଭଙ୍ଗିରେ ନାଚ କରି ଖେଳର ନିଷ୍ପତି ଦେଉଥିଲେ l ତାଙ୍କର ଏହି କୌତୁହଳପୂର୍ଣ୍ଣ ନିଷ୍ପତିକୁ ହଜାର ହଜାର ଖେଳ ପ୍ରେମୀ ଉପଭୋଗ କରୁଥିଲେ l ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଉଦଳା କ୍ରିକେଟ କ୍ଳବ ଆନୁକୂଲ୍ୟରେ ମୁନା ମେମୋରିଆଲ ପକ୍ଷରୁ ଚାଲିଥିଲା ଉଦଳା ପ୍ରିମିଅର ଲିକ୍ ୨୦୧୪ରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ l

ଉଦଳା ହାଇସ୍କୁଲ ପଡିଆରେ ଗତକାଲି ଥିଲା ଫାଇନାଲ ମ୍ୟାଚ୍ । ତେବେ ଫାଇନାଲ ମ୍ୟାଚ୍ ରେ ବିଶେଷ ଅlକର୍ଶଣ ସାଜିଥିଲେ ଦୁଇ ଅମ୍ପାୟାର ଚନ୍ଦନ ବିନ୍ଧାଣୀ ଓ ବବଲୁ ସାହୁ । ଦର୍ଶକ ଖେଳ ଯେତିକି ଉପଭୋଗ କରୁଥିଲେ ତା ଠୁ ଅଧିକ ଅମ୍ପାୟାରଙ୍କ ବିଭିନ୍ନ ଭଙ୍ଗିରେ ନିଷ୍ପତିର ମଜା ଉଠାଉଥିଲେ l ତେବେ ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଉଦଳା ଏନଏସି ଓଧକ୍ଷା ପ୍ରମିଳା ପଣ୍ଡା ଯୋଗ ଦେଇ ବିଜେତା ଏବଂ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ l କ୍ରୀଡାର ବିକାଶ ହେଲେ ଶାରୀରିକ ଓ ବୌଦ୍ଧିକ ବିକାଶ ହେବା ସହ କ୍ରୀଡା କ୍ଷେତ୍ରରେ ଆଜିର ଯୁବପିଢ଼ିଙ୍କ ଭବିଷ୍ୟତ ଉଜ୍ୱଳ ହେବ ବୋଲି କହିଥିଲେ ।

ଖେଳ ଦେଖିବା ସହିତ ଅମ୍ପାୟାରଙ୍କ ଡ୍ୟାନ୍ସିଂ ଅନ୍ଦାଜ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲା । ଦର୍ଶକଙ୍କ ଭଲପାଇବା ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରୁ କ୍ରିକେଟ ମ୍ୟାଚରେ ଅମ୍ପାୟାରିଂ କରିବା ପାଇଁ ଏମାନଙ୍କୁ ଡକରା ଆସୁଥିବା ଜଣାପଡିଛି । ତେଣୁ ଏହି ଦୁଇ ଜଣ ଅମ୍ପାୟାରିଂକୁ କ୍ୟାରିଅର ଭାବେ ଗ୍ରହଣ କରିବାକୁ ଏବେ ମନସ୍ତ କରିଛନ୍ତି ।