ବାପା ମାଆଙ୍କ ଆଖିରୁ ଶୁଖୁନି ଲୁହ, ଅଭିଶପ୍ତ ଭାଗ୍ଯକୁ ନେଇ ଜୀବନ ବିତାଉଛନ୍ତି ଦଶରଥ

ରାଇରଙ୍ଗପୁର : ପୁଅକୁ ନେଇ ବାପା ମା ଅନେକ ସ୍ବପ୍ନ ଦେଖିଥିଲେ। ପୁଅ ପାଠ ପଢ଼ିବ, ବଡ଼ ମଣିଷ ହେବ। ଗରିବ ମା’ ବାପାଙ୍କ ଦୁଃଖ ହଟିବ। କିନ୍ତୁ ସବୁ ସ୍ୱପ୍ନ ସବୁ ଆଶା ମଉଳି ଯାଇଛି। ସେହି ପୁଅ ମା’ ବାପାଙ୍କ ବୋଝ ନେବା ପରିବର୍ତ୍ତେ ନିଜେ ବୋଝ ପାଲଟିଯାଇଛି। ଚିକିତ୍ସା ଅଭାବରୁ ମାନସିକ ସ୍ଥିତି ବିଗିଡିବାରୁ ବାପା ମାଆ ଦୀର୍ଘ ୧୦ ବର୍ଷ ହେଲା ଭେଣ୍ଡିଆ ପୁଅ ଗୋଡରେ ଶିକୁଳି ପକାଇ ଘରେ ବାନ୍ଧି ରଖିଛନ୍ତି। ଦୀର୍ଘ ଦିନ ବିତି ଯାଇଥିଲେ ବି ଏଇ ଗରିବ ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି କି ଦୁର୍ଦ୍ଦଶା ଘୁଞ୍ଚି ପାରୁନି।

ଅର୍ଥାଭାବରୁ ପୁଅର ଚିକିତ୍ସା କରାଇ ନ ପାରି ଭଗବାନ ଓ ଭାଗ୍ଯକୁ ଭରସା କରି ଦିନ କାଟୁଛନ୍ତି ମୟୁରଭଞ୍ଜ ଜିଲା କୁସୁମୀ ବ୍ଲକ ପଣ୍ଡୁଗଣ୍ଡି ଗ୍ରାମର ଠାକୁର ସିଂ ପିଙ୍ଗୁଆଙ୍କ ପରିବାର । ବଡ଼ ପୁଅ ଦଶରଥ ପିଙ୍ଗୁଆ। ଜନ୍ମରୁ ତାଙ୍କ ଅବସ୍ଥା ସ୍ୱାଭାବିକ ଥିଲା। ହେଲେ ସେ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ହଠାତ୍ ରୋଗାକ୍ରାନ୍ତ ହୋଇ ମାନସିକ ସନ୍ତୁଳନ ହରାଇ ବସିଲେ। ଗରିବ ଦଶରଥ ପିଙ୍ଗୁଆ ଦିନ ମଜୁରି ଲାଗି ଭଙ୍ଗା ମାଟିଝାଟି ଘରେ ଚଳୁଥିଲେ। ସେତେବେଳେ ଅର୍ଥାଭାବ କାରଣରୁ ଦଶରଥଙ୍କ ଉପଯୁକ୍ତ ଚିକିତ୍ସା କରାଇ ପାରି ନ ଥିଲେ। ଧୀରେ ଧୀରେ ଦଶରଥଙ୍କ ମାନସିକ ଅବସ୍ଥା ବିଗିଡିବାରୁ ବିଭିନ୍ନ ଅସ୍ୱଭାବିକ ଲକ୍ଷଣ ଦେଖିବାକୁ ମିଳିଲା। ଘରୁ ପଳାଇଯିବା ଓ ଲୋକଙ୍କ ଧନଜୀବନ ନଷ୍ଟ କରିବାରୁ ବାଧ୍ୟ ହୋଇ ବାପା ମାଆ ଦଶରଥଙ୍କ ଗୋଡରେ ଲୁହା ଶିକୁଳି ପକାଇ ଘର ଭିତରେ ବନ୍ଦ କରି ରଖିଥିଲେ ।

ଶିକୁଳି ଯୋଗୁଁ ଗୋଡ଼ରେ ଘା ହେବାରୁ ପରେ ଗୋଡ଼ରେ ଦୌଡ଼ିରେ ବାନ୍ଧିବାକୁ ଲାଗିଲେ । ସେବେଠାରୁ ଦୀର୍ଘ ୧୦ ବର୍ଷ ବିତି ଗଲାଣି। ଚିକିତ୍ସା ବିନା ଦଶରଥ ଦୌଡ଼ିରେ ବନ୍ଧା ହୋଇ ଜୀବନ ବିତାଉଛନ୍ତି । ସାନ ପୁଅ କୁଶନ ପିଙ୍ଗୁଆ ମଧ୍ୟ ଜନ୍ମରୁ ଭିନ୍ନକ୍ଷମ , ମୂକ ବଧିର ଯୋଗୁଁ ତାଙ୍କୁ ମଧ୍ୟ କୁଆଡେ ଛଡାଯାଏ ନାହିଁ। ବାପା ମାଆ ସରକାର ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଗୁହାରି ଜଣାଇଲେ ବି ଫଳ ଶୂନ।

ଅନ୍ଯ ପିଲାଙ୍କ ପରି ଏମାନେ ବି ସ୍କୁଲ କଲେଜ ଯିବା ସହ କାମ କରି ଗରିବ ବାପା ମାଙ୍କ ଆଶା ବାଡ଼ି ପାଲଟି ଥା ଥାନ୍ତେ । ସରକାର ଗରିବଙ୍କ ଲାଗି ବିଭିନ୍ନ ଯୋଜନା କରୁଛନ୍ତି। ଏ ଭଳି ଅସହାୟ ଓ ଗରିବଙ୍କ ପ୍ରତି ଦୃଷ୍ଟି ପଡିଲେ, ଦୁଇ ପୁଅ ନୂଆ ଜୀବନ ପାଇ ପାର ଥାନ୍ତେ ଏଥିରେ ଦ୍ବନ୍ଦ ନାହିଁ । ତେବେ ଏନେଇ ଆମେ କୁସୁମୀ ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ଖୁବ ଶୀଘ୍ର ସେମାନଙ୍କୁ ଏକ ଘର ଯୋଗାଇବା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ ସହ ଚିକିସ୍ଥା ନେଇ ମେଡିକାଲ ଅଫିସରଙ୍କ ସହ ଆଲୋଚନା କରି ବ୍ଯବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି ।

 

ରାଇରଙ୍ଗପୁରରୁ ଏସ୍ .କେ, ସଦାମଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.