ଝିଅ ମୃତ୍ୟୁ ପରେ ମାସେ ହେଲା ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ଥିଲେ ମହିଳା, ଶେଷରେ ତାଙ୍କୁ ହିଁ ବାନ୍ଧିନେଲା ପୋଲିସ

ହାତରେ ଝିଅର ଫଟୋ ଧରି ଥାନା ଆଗରେ ଗୁହାରୀ କରୁଛି ମା । ଅଭିଯୋଗ ହେଉଛି, ତାଙ୍କ ଝିଅକୁ ଶାଶୁ ଘର ଲୋକେ ଯୌତୁକ ପାଇଁ ମାରି ଦେଇଛନ୍ତି । ହେଲେ ପୋଲିସ୍‌ରେ ଅଭିଯୋଗ ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁନି । ତେବେ ତା ଠାରୁ ଆହୁରି ସାଂଘାତିକ କଥା ହେଉଛି ମହିଳା ଜଣକୁ ନ୍ୟାୟ ଦେବ କଣ ପୋଲିସ୍‌ ଓଲଟା ତାଙ୍କୁ ଜେଲ୍‌ରେ ପୂରାଇ ଦେଇଛି । ଆସନ୍ତୁ ଜାଣିବା ପ୍ରକୃତରେ କଣ ଘଟିଛି ଓ କାହିଁକି ନ୍ୟାୟ ମାଗିଥିବା ମହିଳା ଏବେ ଜେଲ୍‌ରେ । ତାଙ୍କର ଜାମିନ୍‌ ବି ନାମଞ୍ଜୁର ହୋଇଯାଇଛି ।

ଚିତଉ ଅମାବାସ୍ୟା ଦିନ ଝିଅ ଫୋନ କରି ପିଠା ଖାଇବାକୁ ଡାକିଥିଲା କିନ୍ତୁ ଯିବା ଆସିବାରେ ଦେଢ଼ଶହ ତାଙ୍କ ଖର୍ଚ୍ଚ ହେବ ବୋଲି ଯାଇପାରିନଥିଲୁ । ଦେଢ଼ଶହ ଟଙ୍କା ଖର୍ଚ୍ଚ କରି ଯାଇ ପାରିଲୁନୁ ବୋଲି ଝିଅକୁ ବି ଆଉ ଦେଖିପାରିଲୁନି । ଲକ୍ଷେ ଟଙ୍କା ଡିମାଣ୍ଡ ଦେଇଥିଲୁ ଆଉ ୫୦ ହଜାର ଟଙ୍କା ଦେଇପାରିଲୁନି ଯେ ଝିଅର ଶାଶୁ ଶ୍ୱଶୁର ଯାଆ ମିଶି ବାଡେଇ ବାଡେଇ ଆମ ଝିଅକୁ ମାରିଦେଲେ । ଏମିତି କହି ବିକଳ ହୋଇ ଥାନା ଆଗରେ କାନ୍ଦୁଥିବା ମା’ଙ୍କୁ ଜେଲ ପଠାଇ ଦେଲା ପୋଲିସ । ତାଙ୍କର ଦୋଷ ହେଉଛି ଯେ ସେ ନ୍ୟାୟ ପାଇଁ ବାରମ୍ବାର ପୋଲିସ ପାଖକୁ ଦୌଡ଼ିଥିଲେ । ନ୍ୟାୟ ନମିଳିବାରୁ ହାତରେ କିରୋସିନ ଧରି ଆତ୍ମାହୁତି ଦେବାକୁ ଧମକ ବି ଦେଇଥିଲେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କାକଟପୁରର ଅସ୍ତରଙ୍ଗ ଗ୍ରାମରେ ।

ମହିଳାଙ୍କ ଅଭିଯୋଗରୁ ଜଣା ପଡିଛି ଯେ କଣ୍ଟପହରା ଗ୍ରାମର ଆରତ ସ୍ୱାଇଁଙ୍କ ଝିଅ ପୂଜାକୁ ଅସ୍ତରଙ୍ଗ ଗ୍ରାମର ସରୋଜ ୯ ବର୍ଷ ତଳେ ବିବାହ କରିଥିଲେ । ଅଧିକ ଯୌତୁକ ଦାବି ପୂରଣ ନହେବାରୁ ସରୋଜ ଏବଂ ତାଙ୍କ ବାପା ମା ଓ ଭାଉଜ ମିଶି ପୂଜାକୁ ପିଟି ପିଟି ମାରି ଦେଇଥିଲେ ବୋଲି ଅସ୍ତରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୋଲିସ କେବଳ ସ୍ୱାମୀ ସରୋଜଙ୍କୁ ଗିରଫ କରିଥିଲା । ପରିବାରର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଓ ଝିଅର ସମସ୍ତ ଯୌତୁକ ଜିନିଷ ଫେରାଇ ଦେବାକୁ ମଧ୍ୟ ଦାବି କରିଥିଲେ ପୂଜାର ପରିବାର ଲୋକେ । ହେଲେ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ଝିଅ ମରିବାର ମାସଟିଏ ପୂରିଗଲେ ମଧ୍ୟ ମିଳୁନଥିଲା ନ୍ୟାୟ । ଶେଷରେ ନ୍ୟାୟ ନ ମିଳିଲେ ଥାନା ଆଗରେ କିରୋସିନି ଢଳିହୋଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ । ଆଉ ଏହା ଥିଲା ତାଙ୍କର ସବୁଠାରୁ ବଡ ଦୋଷ । ତେବେ ପୋଲିସ୍‌ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ମଧ୍ୟ ପୋଲିସ୍‌ ଉପରେ ଆକ୍ରମଣ, ସରକାରୀ ସମ୍ପତ୍ତି ନଷ୍ଟ କରିବା ଭଳି ଦଫା ଲାଗିଛି ସେମାନଙ୍କ ନାମରେ । ଏମିତିକି କୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହୋଇଯାଇଛି । ଯାହାକୁ ସାରା ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି । ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.