ନିର୍ଯାତନା ଦେଲା ବୋହୂ, ନ୍ୟାୟ ପାଇଁ ଥାନାରେ ବସିଲେ ବୃଦ୍ଧା

ଅସ୍ତରଙ୍ଗ: ବୋହୂ ମାଡ଼ରେ ହସ୍ପିଟାଲରେ ପହଞ୍ଚିଗଲେ ଶାଶୁ । ଶାଶୁକୁ ମାଡ଼ ମାରି ମୁଣ୍ଡକୁ ଫଟାଇ ଦେଇଛି ବୋହୂ । ଆଉ ନ୍ୟାୟ ପାଇଁ ଥାନାରେ ବସିଲେ ଶାଶୁ । ଘରୋଇ କଳି ଯେ ଉଗ୍ର ରୂପ ନିଏ ଇଏ ହେଉଛି ତାର ବଡ଼ ଉଦାହରଣ । ତେବେ ପୋଲିସ୍ କୁଆଡ଼େ ସହଯୋଗ କରୁନି । ଏଭଳି ଅଭିଯୋଗ ହୋଇଛି । ଅବଶ୍ୟ ଶାଶୁ ବୋହୂ କଳିରେ କିଏ ସତ କହୁଛି ଓ କିଏ ମିଛ କହୁଛି ଜାଣିବା ମୁସ୍କିଲ । ସିସିଟିଭିରେ ସବୁ କିଛି ରେକର୍ଡ ହୋଇଛି କିନ୍ତୁ ବୃଦ୍ଧାଙ୍କୁ ଏଯାଏଁ ମିଳିନି ନ୍ୟାୟ । ନ୍ୟାୟ ପାଇଁ ଥାନାକୁ ଧାଇଁ ଆସିଛନ୍ତି ବୃଦ୍ଧା । ଆଉ ବିଳମ୍ବିତ ରାତି ଯାଏଁ ଅପେକ୍ଷା କରି ଥାନା ଦୁଆରେ ଜଗି ରହିଲେ । କାଳେ ଘରକୁ ଗଲେ ବୋହୂ ପୁଣି ବାଡ଼େଇବ ସେହି ଡରରେ ଘରକୁ ବି ଗଲେ ନାହିଁ । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ।

ପୁଅ ବୋହୂଙ୍କ ନିର୍ଯାତନାର ଶିକାର ହୋଇ ଅନେକ ବୁଢ଼ା ବାପା ମାଆ ଶେଷରେ ବୃଦ୍ଧାଶ୍ରମର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି । ଆଉ ଆଜି ପୁଣି ଜଣେ ବୃଦ୍ଧାଙ୍କ ସହ ହୋଇଥିବା ଅନ୍ୟାୟର ଖବର ଆମ ସାମ୍ନାକୁ ଆସିଛି । ଏମିତି ଏକ ଘଟଣା ଅସ୍ତରଙ୍ଗ ବ୍ଲକ ଆଇଁଷିଣିଆ ଗାଁରେ ଘଟି ଯାଇଛି । ଏହି ଗାଁର ଶୋଭା ସ୍ବାଇଁ ନାମକ ବୃଦ୍ଧାଙ୍କୁ ତାଙ୍କ ବଡ ବୋହୂ ପାରିବାରିକ କଳହକୁ ନେଇ ମାଡ ମାରିଥିବା ଅଭିଯୋଗ ହୋଇଛି । ବୃଦ୍ଧା ଜଣଙ୍କ ଅସ୍ତରଙ୍ଗ ଥାନାରେ ଏ ନେଇ ଏତଲା ଦେଇଛନ୍ତି । ଅନ୍ୟପଟେ ବୋହୂ  ମାଡ ମାରିଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି । ତେଣୁ କେହି ଫାଙ୍କି ପାରିବେନି । ଅବଶ୍ୟ ଏହା କେଉଁ ପରିସ୍ଥିତିରେ ଘଟିଛି, ଅସଲରେ ଦୋଷ କାହାର, ଏସବୁ ତଦନ୍ତ ହେବା ଦରକାର ।

ଅଭିଯୋଗ ଅନୁଯାୟୀ, ଅନେକ ସମୟରେ ବଡ ବୋହୂ ବନି ସ୍ବାଇଁ ନିଜ ଶାଶୁଙ୍କୁ ମାଡ ମାରିବା ସହିତ ଗାଳିଗୁଲଜ କରୁଛି ବୋଲି ଶାଶୁ ଶୋଭା ସ୍ବାଇଁ ଅଭିଯୋଗ କରିଛନ୍ତି । ବୋହୂର ନିର୍ଯାତନା ସହି ନପାରି ବୃଦ୍ଧା ଜଣକ ଅସ୍ତରଙ୍ଗ ଥାନାକୁ ନ୍ୟାୟ ପାଇଁ ଆସିଥିଲେ ଆଉ ବଡ ବୋହୂ ବନି ସ୍ବାଇଁଙ୍କ ନାଁରେ ଅଭିଯୋଗ କରିଥିଲେ । କିନ୍ତୁ ଅସ୍ତରଙ୍ଗ ପୋଲିସ ମାଡ ଖାଇଥିବା ବୃଦ୍ଧାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଶୋଭା ସ୍ବାଇଁ । ବୃଦ୍ଧା ଦିନ ୧୧ରୁ ଥାନାକୁ ଆସି ରାତି ୧୦ଟା ପର୍ଯ୍ୟନ୍ତ ବସି ରହିଥିବା ବେଳେ ମାଡ ମାରିଥିବା ବଡ ବୋହୂ ଦିନ ୧୨ଟାରେ ଥାନାକୁ ଯେମିତି ଖାଲି ହାଜିରା ଦେଇ ଫେରି ଯାଇଥିଲେ । ପରେ ବୃଦ୍ଧା ଜଣକ ନ୍ୟାୟ ପାଇଁ ଥାନାରେ ଅଡି ବସିଥିଲେ । ଫଳରେ ଅସ୍ତରଙ୍ଗ ପୋଲିସ ବୃଦ୍ଧାଙ୍କୁ କୁଆଡ଼େ ଜବରଦସ୍ତ ଏକ ବୃଦ୍ଧାଶ୍ରମକୁ ନେଇ ଛାଡ଼ି ଆସିଥିଲା । ତାଙ୍କୁ ଥାନା ଗାଡିରେ ପୋଲିସ୍ ଆଶ୍ରମ ପଠାଇ ଦେଇଥିବା କହିଛନ୍ତି ବୃଦ୍ଧା ।

ଅନ୍ୟପଟେ ବଡ ପୁଅ ମାରଣାସ୍ତ୍ର ନେଇ ଘରୁ ବାହାରୁଥିବାର ଏକ ଚିତ୍ର ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବୃଦ୍ଧା ଓ ସାନ ପୁଅ ଭୟଭୀତ ଅଛନ୍ତି । ତେବେ ଏହି ଘଟଣାରେ ଅସ୍ତରଙ୍ଗ ପୋଲିସ ବୃଦ୍ଧା ଦେଇଥିବା ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରିବା ସହିତ ଭାରତୀୟ ନ୍ୟାୟ ସଂହିତାର ୧୨୬ (୨),୨୯୬ ,୧୧୫ (୨),୩୫୧ (୨ ) ଦଫା ଲଗାଇ କେବଳ ମାମଲା ରୁଜୁ କରିଛି । ବଡ଼ ପୁଅ ବୋହୂଙ୍କୁ ପଚରା ଉଚରା ପରେ ଛାଡି ଦେଇଥିବା ଜଣା ପଡ଼ିଛି । କିନ୍ତୁ ଏନେଇ ପୋଲିସ କିମ୍ବା ବଡ଼ ପୁଅ ବୋହୂଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପଟେ  ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଅସ୍ତରଙ୍ଗ ପୋଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଘରେ କୌଣସି କଥାକୁ ନେଇ କଳିଗୋଳ ହୋଇଥାଇ ପାରେ । ଯାହାର ଆପୋଷ ସମାଧାନ ହେବା ଉଚିତ । ତେବେ ଜଣେ ଏତେ ବୟସ୍କ ଲୋକଙ୍କୁ ହାତ ଉଠାଇ ମାଡ଼ ମାରିବା ପ୍ରଥମତଃ ଅନ୍ୟାୟ ଓ ଦ୍ବିତୀୟରେ ବଡ଼ ପାପ । ବୟସର ଅପରାହ୍ନରେ ଥିବା ଏହି ବୃଦ୍ଧାଙ୍କୁ ନ୍ୟାୟ ମିଳୁ ତାହା ହିଁ ସାଧାରଣରେ ଦାବି ।

You might also like