ବୋହୂ ଖୋଲିଲାନି କବାଟ, ୩ ଦିନ ଧରି ବାହାରେ ବସି ରହିଲେ ଶାଶୂ ଓ ସ୍ବାମୀ

ଗଞ୍ଜାମ:“ଅନୁ” କବାଟ ଖୋଲ…ମୁଁ ତମ ସ୍ବାମୀ ଡାକୁଛି… । ଶାଶୁଙ୍କ ସମେତ ବାପଘର ସମ୍ପର୍କୀୟ ମାନେ ବି ଡାକି ଡାକି ଥକି ପଡ଼ିଲେ । ପୋଲିସ୍ ବି ଭଦ୍ରାମିର ସହ ଡାକୁଥିଲେ… “ଅନୁ ମାଡାମ୍” କବାଟ ଖୋଲନ୍ତୁ… ବାହାରକୁ ଆସନ୍ତୁ… ଯଦି କିଛି ଅସୁବିଧା କିମ୍ବା ଅଭିଯୋଗ ଅଛି, ସେ ବିଷୟରେ ଆଲୋଚନା କରିବା । ତଥାପି କବାଟ ଖୋଲୁନଥିଲା । ଏମିତି ଭାବରେ ତିନିଦିନ ବିତିଗଲା । ଘର ଭିତରେ ବୋହୂ ଏବଂ ଘର ବାହାରେ ବସି ରହିଥିଲେ ସ୍ବାମୀ ଏବଂ ଶାଶୁ । ଲୋକହସା ପରିସ୍ଥିତିକୁ ସହିନପାରି ମଝିରେ ମଝିରେ ଅଚେତ ହୋଇ ପଡୁଥିଲେ ଶାଶୁ । ଏ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା । କଣ ପାଇଁ ବୋହୂ କବାଟ ଖୋଲୁ ନଥିଲେ ସେକଥା ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି ? ତେବେ ଏହା ପଛରେ କାରଣ କଣ ଆସନ୍ତୁ ଜାଣିବା….
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ କରଞ୍ଜେଇ ସାହିର ଘଟଣା । ପାରିବାରିକ ଅସନ୍ତୋଷକୁ କେନ୍ଦ୍ରକରି ବିଧବା ଶାଶୁ ସ୍ବର୍ଣ୍ଣବାଳା ମହାପାତ୍ରଙ୍କ ଘରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ଶାଶୁ ଏବଂ ସ୍ବାମୀ ଘରେ ନଥିଲେ । ଘର ତାଲା ପଡ଼ିଥିଲା । ବିବାହ ପରଠାରୁ ବାପା ଘରେ ରହି ଆସୁଥିଲେ ବୋହୂ ଅନୁ । ଶାଶୁ ଘର ଲୋକ କେହି ନଥିବା ବେଳେ ହଠାତ୍ କିଛି ଲୋକଙ୍କୁ ସାଥିରେ ଆଣି ଜଗନ୍ନାଥପ୍ରସାଦ ସ୍ଥିତ ଶାଶୁଘର ତାଲା ଓ କବାଟ ଭାଙ୍ଗି ଘର ଭିତରେ ରହିଥିଲେ ଅନୁ । ହେଲେ ଘରକୁ ସ୍ବାମୀ ଏବଂ ଶାଶୁ ଆସିବା ପରେ ବୋହୂ ଆଉ କବାଟ ଖୋଲି ନଥିଲେ । ଯାହା ଫଳରେ ୩ ଦିନ ପର୍ଯ୍ୟନ୍ତ ଘର ଆଗରେ ବସି ରହିଲେ ସ୍ବାମୀ ଓ ଶାଶୁ । ବଡ଼ପୁଅ ସୌମ୍ୟରଞ୍ଜନ ଗତବର୍ଷ ଫେବୃୟାରୀ ୧୭ରେ କେଶପୁର ଥାନା ଅନ୍ତର୍ଗତ ବିକ୍ରମପୁର ଗାଁର ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କ ଝିଅ ଅନୁସାୟା ଓରଫ୍ ଅନୁଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ସୌମ୍ୟରଞ୍ଜନ ଏବଂ ଅନୁଙ୍କ ମଧ୍ୟରେ ମନୋମାଳିନ୍ୟ ରହିଥିଲା । ତା’ ପରେ ବିଭିନ୍ନ ବାହାନା କରି ବୋହୂ ଅନୁ ବାପ ଘରେ ରହୁଥିଲେ । ସ୍ବାମୀଙ୍କ କହିବା ଅନୁଯାୟୀ ବାହାଘରର ବର୍ଷକ ମଧ୍ୟରେ ତାଙ୍କ ସ୍ତ୍ରୀ ମାତ୍ର ୩୫ ଦିନ ଶାଶୁ ଘରେ ରହିଛନ୍ତି ।
ତିନିଦିନ ଧରି ନାକେଦମ୍ ହେବାକୁ ପଡ଼ିଲା ସ୍ଥାନୀୟ ପୋଲିସକୁ । ବାରମ୍ବାର ଅନୁରୋଧ ସତ୍ବେ କବାଟ ଖୋଲିନଥିଲେ ବୋହୂ । ଶେଷରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ସ୍ଥାନୀୟ ତହସିଲଦାର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବାରମ୍ବାର ଅନୁରୋଧ କରିବା ସତ୍ବେ ରାତି ପର୍ଯ୍ୟନ୍ତ କବାଟ ଖୋଲିନଥିଲେ ବୋହୂ । ବାଧ୍ୟ ହୋଇ ସମସ୍ତଙ୍କ ଉପସ୍ଥିତରେ ପୁଅଙ୍କର ସମ୍ପର୍କୀୟ ମାନେ ଲୁହାଗ୍ରୀଲ୍ ଓ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ । ସେତେବେଳେ ଦେଖିବାକୁ ମିଳିଥିଲା ଘର ଭିତରେ ସ୍ତ୍ରୀ ଅନୁଙ୍କ ସହ ତାଙ୍କର ସମ୍ପର୍କୀୟ ମାନେ ରହିଥିଲେ । ଏନେଇ ଅନୁ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିଥିବା ବେଳେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ତହସିଲଦାର ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ । ଅନୁ କହିଛନ୍ତି କିଭଳି ତାଙ୍କ ଶାଶୂ ନିର୍ଯାତନା ଦେଇ ଆସୁଥିଲେ ।
ତେବେ ରାତି ତମାମ ଉଭୟ ପରିବାର ସେହି ଘରେ ରହିଥିବା ବେଳେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଥାନା ପକ୍ଷରୁ ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଥିଲେ । ପରବର୍ତ୍ତୀ ସମୟରେ ଉଭୟ ପରିବାରକୁ ନେଇ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
Also Read:ବିଜେଡ଼ି ନେତା ପ୍ରଦୀପଙ୍କ ଦେହରେ ଲାଗିଲା ହଳଦୀ, ଗୋଆରେ ହେବ ବାହାଘର