ନିଆଁ ଲଗାଇଦେଲା ଶ୍ବଶୁର: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ବୋହୂ, ଆଇସିୟୁରେ ପୁଅ
କଟକ : ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ବୃଦ୍ଧ ନିଆଁ ଲଗାଇବା ଘଟଣାରେ ଆସିଛି ଦୁଃଖଦ ଖବର । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ଘଟିଛି । ଗୁରୁତର ଥିବା ପୁଅଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି ।
ସୂଚନା ଅନୁସାରେ ବାଙ୍କୀ ବାରଙ୍ଗ ଗୋଡିସାହି ଫାଣ୍ଡି ବାରସିଙ୍ଗା ଗାଁରେ ଘରୋଇ କଳହର କରୁଣ ପରିଣତି ଘଟିଛି । ଗତକାଲି ରାତି ୧୦ଟା ସମୟରେ ବାରସିଙ୍ଗା ଗାଁର ଦୀନବନ୍ଧୁ ରାଉତ ଓ ସସ୍ମିତା ରାଉତଙ୍କ ଉପରେ ତାଙ୍କ ବାପା ଗୋବର୍ଦ୍ଧନ ରାଉତ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିଲା । ଚିତ୍କାର ଶୁଣି ଦୀନବନ୍ଧୁ ଓ ତାଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀ ଉଦ୍ଧାର କରି କଟକ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ ।
ଗୋବର୍ଦ୍ଧନଙ୍କ ପୁଅ ଦୀନବନ୍ଧୁ ରାଉତଙ୍କ ଶରୀରର ୫୦%ରୁ ଅଧିକ ପୋଡ଼ି ଯାଇଥିବା ବେଳେ ବୋହୂଙ୍କ ଶରୀରର ପ୍ରାୟ ୭୦%ରୁ ଅଧିକ ପୋଡ଼ି ଯାଇଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତା ରାଉତଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ବାପା ଗୋବର୍ଦ୍ଧନ ରାଉତଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।