ବର୍ଷେ ନପୂରୁଣୁ ଶାଶୁ ଘରେ ବୋହୁକୁ ନିର୍ଯ୍ୟାତନା ଅଭିଯୋଗ, ଘଟଣାର ସତ୍ୟାସତ୍ୟକୁ ନେଇ ତଦନ୍ତ କରୁଛି ପୋଲିସ

ଚାନ୍ଦବାଲି: ବାହା ଘର ପରେ ସବୁ ଠିକ୍‌ ଥିଲା କିନ୍ତୁ ଧିରେ ଧିରେ ଅସଲ ରୂପ ଦେଖାଇଲେ ଶ୍ୱଶୁର ଘର ଲୋକେ । ଯୌତୁକ ଦାବିରେ ବୋହୁକୁ ସବୁବେଳେ ମାଡ଼ ଗାଳି ଦେଲେ । ଆଉ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ଶାଶୁ ଘରେ ତାଙ୍କୁ ଅସହ୍ୟ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି । ୨୦୨୨ ମସିହାରେ ଏକ ମନ୍ଦିରରେ ତାଙ୍କର ବିବାହ ହୋଇଥିଲା । ବାହାଘରର ବର୍ଷେ ପର୍ଯ୍ୟନ୍ତ ଶାଶୁ ଘରେ ସବୁ ଠିକଠାକ ଚାଲିଥିଲା । କିନ୍ତୁ ବର୍ଷେ ନପୂରୁଣୁ ଶାଶୁ ଘରେ ସ୍ୱାମୀ ଓ ଶ୍ୱଶୁର ମିଶି ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବାର ଝିଅର ବାପା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଚାନ୍ଦବାଲି ସତ୍ୟନାରାୟଣ କୋଲୋନୀରେ ଘଟିଛି ଏମିତି ଅଭାବନୀୟ ଘଟଣା ।

ଅଭିଯୋଗ ମୁତାବକ ଆଳି ବ୍ଲକ ଜରି ମଧୁବନ ଗାଁର ରମେଶ ସୁତାରଙ୍କ ଝିଅ ଲକ୍ଷ୍ମୀପ୍ରିୟା ସୁତାର ଚାନ୍ଦବାଲିର ଗଣେଷ ସୁତାରଙ୍କ ପୁଅଙ୍କ ସହ ବିବାହ ହୋଇଥିଲା । କିନ୍ତୁ ବିବାହର ବର୍ଷେ ପରେ ଶାଶୁ ଘର ଲୋକେ ରମେଶଙ୍କ ଝିଅକୁ ମାର ଧର କରିବା ସହ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ବାପା ରମେଶ ସୁତାର ଅଭିଯୋଗ କରିଛନ୍ତି । ଏମିତିକି ଗତକାଲି ଗୋଟିଏ ଘରେ ପୁରାଇ ଝିଅକୁ ଅତ୍ୟଧିକ ମାରଧର କରିବା ସହ ତାକୁ ଖାଇବାକୁ ଦେଇନଥିଲେ ଶାଶୁ ଘର ଲୋକେ । ଝିଅର ଦୁଇ ମାସର ଛୋଟ ପିଲାକୁ ମାଆ ଠାରୁ ଅଲଗା ରଖିଥିବା ଅଭିଯୋଗ କରିଛନ୍ତି ଝିଅର ବାପା । ଅଭିଯୋଗ ପାଇ ଚାନ୍ଦବାଲି ପୋଲିସ ଉକ୍ତ ମହିଳାଙ୍କ ଶାଶୁ ଘରକୁ ଯାଇ ତଦନ୍ତ କରିଛି । ପୋଲିସର ହସ୍ତକ୍ଷେପ ପରେ ଛୁଆକୁ ଫେରାଇ ଦେଇଥିବା ଜଣାପଡିଛି । ଲକ୍ଷ୍ମୀପ୍ରିୟା ତାଙ୍କ ବାପଘରକୁ ଫେରି ଆସିଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ବାରମ୍ୱାର ଏପରି ଶାଶୁ ଘର ଲୋକେ ଝିଅକୁ ମାର ଧର କରୁଥିବାରୁ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଝିଅର ବାପା ଦାବି କରିଛନ୍ତି ।

ଏନେଇ ଶାଶୁଘର ଲୋକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଘଟଣାର ସତ୍ୟାସତ୍ୟକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଯୌତୁକ ପାଇଁ ଏମିତି ଘଟଣା ସବୁବେଳେ ଘଟୁଥିବାର ନଜିର ରହିଛି । ଯୌତୁକ ଦେବା କିମ୍ବା ନେବା ଉଭୟ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଲୋକମାନେ ଏହାକୁ ନେବା ବନ୍ଦ କରୁ ନାହାନ୍ତି । ଯଦି ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ହୁଏତ ଲୋକମାନେ ସତର୍କ ହେବେ ଏବଂ ଯୌତୁକ ନେବା ଠାରୁ ଦୂରେଇ ରହିବେ ।

You might also like