କମାଲ କଲେ ଆଦିବାସୀ ଝିଅ, ବାପା ମା’ ପାଖରେ ନଥିଲେ ବି ପାଠ ପଢ଼ି ହେଲେ ସ୍କୁଲ ଟପ୍ପର

ସୁବର୍ଣ୍ଣପୁର: ତୁଳସୀ ଦୁଇ ପତ୍ରରୁ ବାସେ । ସେ ଯେଉଁଠି ଥିଲେ ମଧ୍ୟ ତାର ଏକ ସ୍ବତନ୍ତ୍ର ସ୍ଥାନ ରହିଥାଏ । ଠିକ ସେହିଭଳି ଜଣେ ଆଦିବାସୀ ଝିଅ ହେଉଛନ୍ତି ଡଲି ମିର୍ଦ୍ଧା । ସଂଘର୍ଷ କରି ଆଜି ସେ ଯେଉଁ ସଫଳତା ପାଇଛନ୍ତି ତା ସତରେ ପ୍ରଶଂସନୀୟ । ଦାଦନ ପରିବାରର ଝିଅ ସେ । ବାପା ମା’ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ରହୁଛନ୍ତି । ବାପା ମା’ ଦୂରରେ ରହୁଥିଲେ ବି ନିଜ ଦାୟିତ୍ବକୁ ସଠିକ ଢଙ୍ଗରେ ତୁଲେଇଛନ୍ତି ଡଲି । ରୋଷେଇ ବାସ ସହ ପାଠ ପଢ଼ା । ଦିନ ରାତି ପରିଶ୍ରମ କରି ଚଳିତ ବର୍ଷ ଉଚ୍ଚ ପ୍ରାଥମିକ ବୋର୍ଡ ପରୀକ୍ଷାରେ ସ୍କୁଲର ଟପ୍ପର ହୋଇ ପାରଛନ୍ତି । ସବୁ ବାଧା ବିଘ୍ନକୁ ଏଡ଼ାଇ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ ।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମରିଚପୁର ଗାଁର ମା’ ଜାହ୍ନବୀ ମିର୍ଦ୍ଧା ଏବଂ ବାପା ଅଶୋକ ମିର୍ଦ୍ଧାଙ୍କ ଝିଅ ଡଲି । ଅର୍ଥାଭାବ ଯୋଗୁଁ ବାପା ମା’ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଛନ୍ତି । ଡଲି ହେଉଛନ୍ତି ଜଣେ ଆଦିବାସୀ ଛାତ୍ରୀ । ସ୍ଥାନୀୟ ବୀରମହାରାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ବାପା ମା’ ଓଡିଶା ବାହାରେ ରହୁଥିବାରୁ ବୀରମହାରାଜପୁର ବ୍ଲକ ରାଧାପୁର ଠାରେ ଥିବା ମାମୁଁ ବିନାୟକ ମିର୍ଦ୍ଧାଙ୍କ ଆଶ୍ରୟରେ ରହୁଛନ୍ତି ଡଲି ଓ ତାଙ୍କ ଦୁଇ ଭାଇ । ନିଜ ହାତରେ ରୋଷେଇ କରି ବିଦ୍ୟାଳୟକୁ ପଢିବାକୁ ଆସନ୍ତି ଡଲି । ତେବେ ବର୍ଷ ଆରମ୍ଭରେ ଡଲି ସଡ଼କ ଦୁର୍ଘଟଣାର ଶିକାର ହୋଇ ଦୀର୍ଘ ଦୁଇମାସ କାଳ ବିଦ୍ୟାଳୟକୁ ଆସିପାରି ନଥିଲେ । ତଥାପି ସେ ହାର ମାନି ନଥିଲେ । ତାଙ୍କର ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଯୋଗୁଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସମୁଦାୟ ୬୦୦ ମାର୍କ ରୁ ୪୯୧ ମାର୍କ ରଖି ବିଦ୍ୟାଳୟର ଟପ୍ପର ହୋଇ ପାରିଛନ୍ତି । ଆଗକୁ ପ୍ରଶାସନିକ ଅଧିକାରୀ ହେବାର ସ୍ବପ୍ନ ଦେଖିଛନ୍ତି ଡଲି ମିର୍ଦ୍ଧା । ଉପଯୁକ୍ତ ସରକାରୀ ସାହାଯ୍ୟ ଓ ସହାୟତା କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇଲେ ତାଙ୍କ ଆଶା ପୂରଣ ହୋଇ ପାରିବ ବୋଲି କହିଛନ୍ତି ଡଲି ।