ସାହସୀ ଝିଅକୁ ସଲାମ: ମାଓବାଦୀଙ୍କ ସହ ଲଢିଲେ, ବାପାଙ୍କ ଜୀବନ ବଞ୍ଚାଇଲେ

ମାଲକାନଗିରି: ମାଓବାଦୀଙ୍କ ସହ ଲଢ଼ି ବାପାଙ୍କ ଜୀବନ ବଞ୍ଚାଇଲେ ଝିଅ । ଏପରି ଘଟଣା ଘଟିଛି ଛତିଶଗଡ଼ ନାରାୟଣପୁରସ୍ଥିତ ଝରାଗାଁରେ । ଗତକାଲି ରାତିରେ ୪ଟି ମୋଟର ସାଇକେଲରେ ମାଓବାଦୀ ଝରାଗାଁରେ ପହଞ୍ଚିଥିଲେ । ଗାଁରେ ପହଞ୍ଚି ମାଓବାଦୀମାନେ ଭୀମା କୋର୍ରାମଙ୍କୁ ଖୋଜିଥିଲେ । ଏହି ସମୟରେ ଝିଅ ସୁଶିଳା ମାଓବାଦୀଙ୍କୁ ଗାଁରୁ ଚକମା ଦେଇ ଫେରାଇ ହୋଇଯାଇଥିଲେ । କିନ୍ତୁ ପୁଣି ଯେତେବେଳେ ସୁଶିଳା ନିଜ ଘରର ତାଲା ପକାଉଥିଲା, ସେହି ସମୟରେ ବାପା ବାହାରେ ଛିଡା ହୋଇଥିଲେ । ମାଓବାଦୀ ମାନେ ପୁଣି ପହଞ୍ଚି ବାପାଙ୍କ ଉପରେ ଆକ୍ରମଣ କରିଥିଲେ।

ଏହି ସମୟରେ ଏକ କୋଦାଳରେ ବାପା ଭୀମାଙ୍କ ଉପରେ ମାଓବାଦୀ ଆକ୍ରମଣ କରିଥିଲେ । ଭୀମା ତଳେ ପଡିଯିବା ପରେ ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବେଳେ ସୁଶିଳା ବାପାଙ୍କୁ ରକ୍ଷା କରିବା ପାଇଁ ଆଗେଇ ଆସିଥିଲା । ମାଓବାଦୀଙ୍କ ହାତରୁ କୋଦାଳ ଛଡାଇ ନେଇ ଫିଙ୍ଗି ଦେବା ସହ ଜୋରରେ ଚିତ୍କାର କରିଥିଲା। ପାଟି ଶୁଣି ଗାଁର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ମାଓବାଦୀମାନେ ସେଠାରୁ ଖସି ପଳାଇଥିଲେ। ଭୀମାଙ୍କୁ ଗୁରୁତର ଅବସ୍ଥାରେ ନାରାୟଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଝିଅର ଏଭଳି ସାହସିକତା ପାଇଁ ଗାଁଲୋକେ ସୁଶିଳାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.