କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱିତୀୟ ଦିନ: ଲିଭିଂ ଲିଜେଣ୍ଡ ପୁରସ୍କାରରେ ସମ୍ମାନିତ ହେଲେ ହିମାଂଶୁ ଶେଖର ଖଟୁଆ
ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମରେ ଚାଲିଛି ତିନିଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ । ଗତକାଲି ମହୋତ୍ସବର ଦ୍ଵିତୀୟ ଦିନରେ ହିମାଂଶୁ ଶେଖର ଖଟୁଆଙ୍କୁ ଫିଲ୍ମ ଓ ସାମ୍ବାଦିକତା କ୍ଷେତ୍ର ପାଇଁ ଲିଭିଂ ଲିଜେଣ୍ଡ ଭାବେ ସମ୍ମାନିତ କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମରେ ଚାଲିଛି ତିନିଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ । କଳା, ସାହିତ୍ୟ, ଧର୍ମ, ଓ ଯୁବପିଢ଼ିଙ୍କ ଜୀବନ୍ତ ଦୃଷ୍ଟିକୋଣକୁ ନେଇ ଦୁଇଟି ହଲ୍ରେ ୧୮ଟି ଅଧିବେଶନରେ ୬୦ରୁ ଅଧିକ ବକ୍ତା ଯୋଗଦେଇ ବିବିଧ ଆଲୋଚନା କରିଥିଲେ। ଗତକାଲି ମହୋତ୍ସବର ଦ୍ଵିତୀୟ ଦିନରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି। ହିମାଂଶୁ ଶେଖର ଖଟୁଆଙ୍କୁ ଫିଲ୍ମ ଓ ସାମ୍ବାଦିକତା କ୍ଷେତ୍ର ପାଇଁ ଲିଭିଂ ଲିଜେଣ୍ଡ ଭାବେ ସମ୍ମାନିତ କରାଯାଇଛି। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାହୁଲ ରାୱେଲ ତାଙ୍କୁ ସମ୍ମାନିତ କରିଥିଲେ। ସେହିପରି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନିତ କରାଯାଇଛି। ANI ପ୍ରତିଷ୍ଠାତା ପ୍ରେମ ପ୍ରକାଶ, ସ୍ବସ୍ତି ପ୍ରିମିୟମ ଏମଡିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ସୂଚନା ଅନୁଯାୟୀ କଳିଙ୍ଗ ସାହିତ୍ୟ ଉତ୍ସବର ୧୦ମ ସଂସ୍କରଣ ଫେବୃଆରୀ ୦୯ରୁ ଆରମ୍ଭ ହୋଇ ଆସନ୍ତା କାଲି ଶେଷ ହେବାକୁ ଯାଉଛି । ୨୦୧୩ରୁ ଏହାର ପରିକଳ୍ପନା ହୋଇଥିଲା । ପ୍ରଥମ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୪ରେ ଭାଷା ଓ ସାହିତ୍ୟର ଉତ୍ସବ ଭାବେ ପାଳନ କରାଯାଇଥିଲା । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଖୁସି ପାଳନ କରିବା ନିମନ୍ତେ କଳିଙ୍ଗ ସାହିତ୍ୟ ମହୋତ୍ସବ ଆରମ୍ଭ ହୋଇଥିଲା ।