୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା, ବ୍ୟବଚ୍ଛେଦ ରିପୋର୍ଟରେ ହେର୍ଫେର୍ ଅଭିଯୋଗ

କାଲିମେଳା: ଝିଅ ପାଠ ପଢ଼ି ବଡ଼ ଚାକିରି କରିବ । ଏ ଗରିବ ବାପାର ଦୁଃଖ ଦୂର କରିବ । ଆଉ ତା ପରେ ଭଲ ପାତ୍ର ଦେଖି ଝିଅର ବାହାଘର କରିବେ । ଝିଅକୁ ନେଇ ଏମିତି କେତେ କ’ଣ ସ୍ୱପ୍ନ ଦେଖୁଥିଲେ ବାପା, ମାଆ । ହେଲେ ହଠାତ ଏମିତି କିଛି ଘଟିଗଲା । ପୁରା ପରିବାର ପାଦ ତଳୁ ମାଟି ଖସିଯାଇଛି । ସତେ ଯେମିତି ଏ ହସ ଖୁସି ସଂସାରରେ କାହାର ନଜର ଲାଗିଗଲା । ଏମିତି ମୃତ୍ୟୁ ଆସେ ତାହା ସ୍ୱପ୍ନରେ ବି କେବେ କେହି ଭାବିନଥିଲେ l ଦୁଇ ଝିଅଙ୍କ ସହ ଏମିତି କଣ ଘଟିଲା ସ୍କୁଲକୁ ଯାଇ ଫେରି ନଥିଲେ । ଦୁହେଁ କ୍ଲାସ୍ ମେଣ୍ଟ ଥିଲେ ସ୍କୁଲରେ ସାଙ୍ଗ ହୋଇ ପାଠ ପଢ଼ୁଥିଲେ ଏବେ ଏକାଠି ଚାଲିଗଲେ । ଇଏ ଦୁଇଜଣ ହେଉଛନ୍ତି ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜ୍ୟୋତି ହାଲଦାର ଏବଂ ମନ୍ଦିରା ସୋଡ଼ି । ଜ୍ୟୋତିଙ୍କ ମାଆ ଆଖିରେ ଧାର ଧାର ହୋଇ ଲୁହ ବହି ଚାଲିଛି କେବଳ ଗୋଟିଏ କଥା ହିଁ ମାଆକୁ ମନେ ପଡୁଛି ମାଆ ଲୋ ମୁଁ ଯାଇ ଆସୁଛି…ବାସ ଏହି ଶେଷ ଶବ୍ଦ ହିଁ ମାକୁ ଚିରଦିନ ସ୍ମରଣୀୟ l ଅନ୍ୟପଟେ ଇଏ ହେଉଛି ମୃତ ମନ୍ଦିରା ସୋଡ଼ିର ବାପା, ମାଆ ଘର କାନ୍ଥ ପାଖେ ହାତରେ ମୁଣ୍ଡ ଦେଇ ଚିନ୍ତାରେ ବସିଛନ୍ତି ଆଉ ଝିଅ ନାହିଁ କି ଝିଅ ଫେରି ଆସିବ ନାହିଁ…. ସେପଟେ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ନେହି ଆହୁରି ଚିନ୍ତାରେ ପଡିଛନ୍ତି ପରିବାର ଲୋକେ l
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମ୍ ଏମ୍ଭି-୭୨ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହେବା ଘଟଣା ଏବେ ଚାରିଆଡେ ରହସ୍ୟାବୃତ୍ତ ହୋଇପଡ଼ିଛି । ଫେବୃଆରୀ ୬ ତାରିଖରେ ଦୁଇ ଛାତ୍ରୀ ମନ୍ଦିରା ସୋଡ଼ି ଓ ଜ୍ୟୋତି ହାଲଦାର ନିଖୋଜ ଥିଲେ l ପରେ ପରିବାର ଲୋକେ ୭ ତାରିଖ ଦିନ ଥାନାରେ ଏତଲା ଦେଲେ ୮ ତାରିଖ ଦିନ ବିଲିଗୁଡା ଜଙ୍ଗଲରେ ଦୁଇ ଛାତ୍ରୀ ୟୁନିଫୋର୍ମ ରେ ଝୁଲନ୍ତା ମୃତଦେହକୁ ଉଦ୍ଧାର କଲେ ପୋଲିସ l ହେଲେ ୧୫ ଦିନ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଶ୍ଵାସରୁଦ୍ଧର ସେମାନଙ୍କର ମୃତ୍ୟୁ ଘଟିଥିବା ଏଥିରେ ଉଲ୍ଲେଖ ରହିଛି | ଜୀବନ ହାରିଥିବା ସନ୍ଦେହ କରାଯାଉଛି । ତେବେ ନାବାଳିକାଦ୍ବୟଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ବ୍ୟବଚ୍ଛେଦ ରିପୋର୍ଟରେ ହେରଫେର୍ କରାଯାଇ ସତ ଲୁଚାଇବାକୁ ଚେଷ୍ଟା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି I
ସବୁଠୁ ବଡ଼ କଥା ହେଉଛି ପୂର୍ବରୁ ପୁଲିସ୍ ତାଙ୍କୁ ଏତଲାରେ ଜୀବନ ହାରିବା କଥା ଲେଖିବାକୁ ବାଧ୍ଯ କରିବା, ଯୁବତୀଦ୍ବୟଙ୍କ ଶବରେ ଥିବା କ୍ଷତ ସ୍ଥାନ ସଂପର୍କରେ ପୁଲିସ୍ କିଛି ନ କହିବା ଏବଂ ଏତେ ବିଳମ୍ବରେ ବ୍ୟବଚ୍ଛେଦ ରିପୋର୍ଟ ଆସିବାରୁ କିଛି ବଡ଼ଧରଣର ଷଡ଼ଯନ୍ତ୍ର କରାଯାଇଥିବା ସେମାନେ ସନ୍ଦେହ କରିଛନ୍ତି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି | ଏତେ ଛୋଟ ପିଲା ଦୁଇଜଣ କେମିତି ଗୋଟିଏ ଡାଳରେ ପାଖାପାଖି ଜୀବନ ହାରିପାରିଲେ ? ଏହା ପଛର କାରଣ କ’ଣ ? ଘଟଣାସ୍ଥଳରୁ ମିଳିଥିବା ମୋବାଇଲରୁ କ’ଣ ତଥ୍ୟ ମିଳିଲା, ସେସବୁ ପୋଲିସ୍ ସ୍ପଷ୍ଟ କରୁ ବୋଲି ପରିବାର ଲୋକେ ଦାବି କରିଛନ୍ତି | ସେହିପରି ଜିଲ୍ଲାର ବିଭିନ୍ନ ସଙ୍ଗଠନ ଏବଂ ବୁଦ୍ଧିଜୀବୀମାନେ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ୍ୟ ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି l ହେଲେ ଏହି ପୋଷ୍ଟ ମୋର୍ଟମ ରିପୋର୍ଟ ଲୋକେ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖ ପ୍ରକାଶ କରିଛନ୍ତି l ଏନେଇ ମାଲକାନଗିରି ASP ତପନ ନାରାୟଣ ରଥ ଫୋନ ମାଧ୍ୟମରେ କହିଛନ୍ତି ସାଇଣ୍ଟିଫିକ ଟିମ, ପୋଲିସ, ଡାକ୍ତର ତିନୋଟି ବିଭାଗକୁ ନେଇ ତଦନ୍ତ ହୋଇଛି ପ୍ରକୃତରେ ଜୀବନ ହାରିଥିବା କହିଛନ୍ତି । ସେପଟେ ପରିବାର ଲୋକେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି l