ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ିରୁ ମିଳିଲା ମୃତଦେହ, ବିଦା ହେଲେ ଥାନା ଅଧିକାରୀ
ଭୁବନେଶ୍ୱର: ଜବତ ଗାଡ଼ିରୁ ମିଳିଲା ମୃତଦେହ। ଯାଆଁଳା ଫାଣ୍ଡି ପରିସରରେ ଥିବା ଏକ ଗାଡ଼ିରୁ ନରକଙ୍କାଳ ଉଦ୍ଧାର ହୋଇଛି। ୨୦୧୯ ମସିହାରୁ ଫାଣ୍ଡି ପରିସରରେ ଗାଡିଟି ଥିଲା। ଏଣୁ ଏବେ ଗାଡ଼ିରେ ମୃତ ଦେହ କେଉଁଠୁ ଆସିଲା ସେ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ମାମଲାକୁ ନେଇ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ।
ମିଳିଥିବା ସୂଚନାନୁସାରେ, ଗଞ୍ଜାମ ପୋଲିସ ଜବତ କରିଥିବା ଏକ ଗାଡ଼ି ଥାନା ପରିସରରେ ରହିଥିଲା। ୨୦୧୯ ମସିହାରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଏହି ଗାଡ଼ିକୁ ସିଜ୍ କରିଥିଲା ପୋଲିସ। ଫେବ୍ରୁୟାରୀ ମାସରେ ଗାଡ଼ି ନେବା ପାଇଁ ଆସିବା ବେଳେ ଗାଡ଼ିରେ ଏକ ନରକଙ୍କାଳ ଥିବା ଦେଖିବାକୁ ମିଳିଥିଲା। ଏହାପରେ ସଙ୍ଗେସଙ୍ଗେ ସାଇଣ୍ଟିଫିକ୍ ଟିମକୁ ଡାକି କଙ୍କାଳର ଯାଞ୍ଚ କରାଯିବା ସହ ବ୍ୟବଚ୍ଛେଦ ପାଇଁ ଏମସ୍ ପଠାଯାଇଥିଲା। ଏବେ ଏହାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ମୃତକଙ୍କ ବୟସ ପାଖାପାଖି ୪୫ ବର୍ଷ ହେବ ବୋଲି ଜଣାପଡିଛି। ମୃତକଙ୍କ ପରିଚୟ ପାଇବାକୁ ଅନୁସନ୍ଧାନ ଚଳାଇଛି କମିଶନରେଟ ପୋଲିସ। ଫାଣ୍ଡି ପରିସରରେ ଗାଡି ଭିତରୁ ନରକଙ୍କାଳ ମିଳିବା ଘଟଣାରେ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ।