ପୁଣି ଶବକୁ ଅସମ୍ମାନ : ଆମ୍ବୁଲାନ୍ସ ନଥିବାରୁ ମେଡିକାଲରୁ ଷ୍ଟ୍ରେଚରରେ କାନ୍ଧେଇ ଗାଁକୁ ଚାଲି ଚାଲି ଗଲେ ପରିବାର ଲୋକେ

କାଲିମେଳା: ଶବକୁ ଅସମ୍ମାନ। ବୁହାଗଲା ଷ୍ଟ୍ରେଚରରେ। ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡିଆ ମୁଖ୍ୟ ବଜାରରେ ଶବକୁ ଅସମ୍ମାନ କରି ଷ୍ଟ୍ରେଚରରେ ବୁହାଯିବା ଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ସୂଚନା ମୁତାବକ ଦିନ ପ୍ରାୟ ୧୧ ଟା ବେଳେ ମୂଷାକିଗୁଡା ଗ୍ରାମର ଜଣେ ବୃଦ୍ଧା ଡାକ୍ତରଖାନାରେ ଚିକିତ୍ସା ବେଳେ କୌଣଷି କାରଣରୁ ମୃତ୍ୟୁ ବରଣ କରିଥିଲେ। ଏହାପରେ ବୃଦ୍ଧାଙ୍କ ଶବକୁ ଘର ପର୍ଯ୍ୟନ୍ତ ନେବାପାଇଁ ପରିବାର ଲୋକେ ମେଡିକାଲ କତୃପକ୍ଷଙ୍କୁ ଗୁହାରୀ କରିଥିଲେ। ହେଲେ ମେଡିକାଲରେ ଆମ୍ବୁଲାନ୍ସ ମହଜୁଦ ନଥିବାରୁ ମେଡିକାଲ ପକ୍ଷରୁ ଗାଡି ପାଇଁ ମନା କରାଯାଇଥିଲା। ଏହାପରେ ପରିବାର ଲୋକ ଅନ୍ୟତ୍ର ଗାଡି ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡି ଭଡ଼ା ମୁତାବକ ପାଖରେ ପଇସା ନଥିବାରୁ ଷ୍ଟ୍ରେଚରରେ ମୁଖ୍ୟ ବଜାରରେ କାନ୍ଧେଇ ନିଜ ଗ୍ରାମ ମୂଷାକିଗୁଡା ପର୍ଯ୍ୟନ୍ତ ନେଇଥିଲେ ପରିବାର ଲୋକେ।

ଦିନ ବେଳା ମୁଖ୍ୟ ବଜାର ଦେଇ ଶବକୁ ଏଭଳି ଅବସ୍ଥାରେ ନିଆଯିବାକୁ ନେଇ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ, ଷ୍ଟ୍ରେଚରରେ ବୁହାଯିବା ଚିତ୍ର ସ୍ଵାସ୍ଥ୍ୟ ବିଭାଗର ଅବହେଳାକୁ ଦର୍ଶାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସାରା ଦେଶ କରୋନା ମୁକାବିଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକୁ ପ୍ରଶଂସା କରାଯାଉଥିବାଳେ ବେଳେ, ବୃଦ୍ଧାଙ୍କ ଶବକୁ ଏଭଳି ଭାବରେ ନିଆଯିବାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ମାନବିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଏ ବାବଦରେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ପାଣୁ ଚରଣ ମଣ୍ଡଳଙ୍କୁ ପଚାରିବାରୁ ମେଡିକାଲର ଆମ୍ବୁଲାନ୍ସ ଖରାପ ଥିବାରୁ ପରିବାର ଲୋକ ଗାଡି ଯୋଗାଡ଼ କରି ନପାରି ଶେଷରେ କାନ୍ଧରେ ଭାର କରି ନେଇଥିଲେ ବୋଲି କହିଛନ୍ତି। ଅନ୍ୟପଟେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଜିଲ୍ଲାର ଏକ ପୁରାତନ ଡାକ୍ତରଖାନା ହୋଇଥିବା ବେଳେ ବିଭିନ୍ନ ସମୟରେ ଏଠାରେ ମୃତ୍ୟୁ ବରଣ କରୁଥିବା ଲୋକ ନାନା ସମସ୍ୟାରେ ନିଜ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚୁଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ଏଠାରେ ଏକ ମହାପ୍ରୟାଣ ଗାଡିର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି।

Leave A Reply

Your email address will not be published.