ଯାଯପୁର: ରାତି ପାହିଲେ ସ୍ବାଧୀନତା ଦିବସ । ତ୍ରିରଙ୍ଗା ପତାକା ସାମ୍ନାରେ ଯାଇ ସାଲ୍ୟୁଟ୍ କରିଥାନ୍ତେ । ସ୍ବାଭିମାନର ସହ ଯେଉଁ ପତାକାକୁ ମଥା ଟେକି ସାଲ୍ୟୁଟ୍ କରିଥାନ୍ତେ, ଆଜି ସେହି ତ୍ରିରଙ୍ଗା ପତାକାକୁ ଘୋଡ଼ାଇ ଗାଁକୁ ଫେରିଛନ୍ତି । ସେ ପୁଣି ଜୀବିତ ଅବସ୍ଥାରେ ନୁହେଁ ବରଂ ମୃତ ଅବସ୍ଥାରେ । ଆମେ କହୁଛୁ ସହିଦ ହୋଇଯାଇଥିବା ଜଣେ ବୀର ଯବାନଙ୍କ କଥା । ଯାହାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପରିବାର ଠାରୁ ଆରମ୍ଭ କରି ଗାଁରେ ଖେଳିଯାଇଛି ଶୋକର ଛାୟା ।
କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ଏପଟେ ସହିଦ ଯବାନ ଅମର ରହେ, ଭାରତ ମାତା କି ଜୟ ଧ୍ୱନିରେ କମ୍ପି ଉଠୁଛି ସମଗ୍ର ପରିବେଶ । ଏହା ଭିତରେ ଭଉଣୀ କହୁଛି ମୋ ଭାଇ ଜଣେ ଯବାନ । ସାଙ୍ଗମାନଙ୍କୁ କହୁଥିଲି ମୁଁ ଜଣେ ଯବାନର ଭଉଣୀ । ଆଉ କେମିତି କହିବି ଏ କଥା । ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧି ପାରିନଥିଲି ବୋଲି ସେ ବହୁତ ମନ ଦୁଃଖ କରିଥିଲା । ଏବର୍ଷ ତା ହାତ ଖାଲି ଥିଲା । ଏମିତି କେତେ କଥା କହି ନିଜ କୋହକୁ ସମ୍ଭାଳି ପାରୁନାହାନ୍ତି ଯବାନଙ୍କ ଭଉଣୀ । କାରଣ ତାର ଯବାନ ଭାଇ ଆଉ ଏ ଦୁନିଆରେ ନାହିଁ ।
ମାସେ ପାଇଁ ଛୁଟିରେ ଘରକୁ ଆସିଥିଲେ ଯବାନ । କାର୍ଯ୍ୟସ୍ଥଳକୁ ଫେରୁଥିବା ସମୟରେ ଘଟିଲା ଅଘଟଣ । ଟ୍ରେନ ଚଢ଼ୁଥିବା ସମୟରେ ଖସିପଡି ଗୁରୁତର ହୋଇଗଲେ ଯବାନ । ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା ।
ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କଲଣ ପଞ୍ଚାୟତ ଶୁଳିଆ ଗାଁର ଦୈତାରୀ ନାୟକଙ୍କ ବଡ଼ ପୁଅ ଧର୍ମେନ୍ଦ୍ର ନାୟକ । ରାଜସ୍ଥାନ ଯୋଧପୁର ଷ୍ଟେସନରେ ଟ୍ରେନ ଚଢ଼ୁଥିବା ବେଳେ ଅସବଧାନତାବଶତଃ ଖସି ପଡ଼ିଥିଲେ । ସେ ହରିୟାଣା ଠାରେ ଭାରତୀୟ ସେନାବାହିନୀରେ ଚାକିରୀ କରିଥିଲେ । ଛୁଟିରେ ଘରକୁ ଆସି କାର୍ଯ୍ୟସ୍ଥଳକୁ ଫେରୁଥିଲେ । ଗତ ଗୁରୁବାର ଧର୍ମେନ୍ଦ୍ର ଘରୁ ହରିୟାଣା ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ଶୁକ୍ରବାର ଦିନ ଦୁର୍ଘଟଣାର ଶିକାର ହୋଇଥିଲେ । ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଖବର ପାଇଥିଲେ ।
ଗତକାଲି ତାଙ୍କ ମରଶରୀର ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିବା ପରେ ଆଜି ଜନ୍ମମାଟିକୁ ଫେରିଥିଲା । ମର ଶରୀର ଜାରକା ଠାରେ ପହଁଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଧର୍ମେନ୍ଦ୍ରଙ୍କ ପାର୍ଥିବ ଶରୀରକୁ ଗାଁ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା। ସହିଦ ଧର୍ମେନ୍ଦ୍ର ନାୟକ ଅମର ରହେ, ଭାରତ ମାତା କି ଜୟ ଧ୍ବନିରେ ଗୁଞ୍ଜରିତ ହୋଇଥିଲା ସମଗ୍ର ପରିବେଶ । ଅବସରପ୍ରାପ୍ତ ସେନା କର୍ମଚାରୀ, ଫିଜିକାଲ ଏକାଡେମୀର କର୍ମକର୍ତ୍ତା, ସଦସ୍ୟଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମର ଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶେଷରେ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଏପଟେ ଧର୍ମେନ୍ଦ୍ରଙ୍କୁ ଝୁରୁଛନ୍ତି ପରିବାର ଓ ଅଂଚଳବାସୀ । ଅସମୟରେ ଯବାନ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁନଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ଓ ଆତ୍ମୀୟସ୍ୱଜନ।
Also Read: ବୀର ଯବାନ ଅମର ରହେ ଅମର ରହେ ଧ୍ଵନିରେ ପ୍ରକମ୍ପିତ ହେଲା ବାଣପୁର ମାଟି…