ରେଳ ଲାଇନରୁ ଉଦ୍ଧାର ହୋଇଛି ଯୁବକର ମୃତଦେହ, ସାରା ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ

ଟିଟିଲାଗଡ଼: ଶୁକ୍ରବାର ଦିନର ଘଟଣା । ସନ୍ଧ୍ୟା ୭.୩୦ଟା ସମୟରେ ବୈଷ୍ଣବ କାହାକୁ କିଛି ନ କହି ଘରୁ ବାହାରି ଯାଇଥିଲେ । ହେଲେ ରାତି ବଢୁଥିଲେ ବି ଘରକୁ ଫେରିନଥିଲେ ବୈଷ୍ଣବ । ପୁଅର ଫେରିବା ବାଟକୁ ଚାହିଁ ବସିଥିଲେ ଘର ଲୋକେ । ତେବେ ପୁଅ ଆସିବାରେ ଡେରି ହେବାରୁ ଘର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ । ଏହାରି ଭିତରେ ହଠାତ ଖବର ଆସିଲା ପାଖ ରେଳ ଷ୍ଟେସନରେ ବୈଷ୍ଣବର ମୃତଦେହ ପଡ଼ିଛି । ସଙ୍ଗେ ସଙ୍ଗେ ସାରା ଗାଁରେ ଖବର ବ୍ୟାପିଗଲା । ଆଉ ରେଳ ଧାରଣା ନିକଟରେ ରୁଣ୍ଡ ହୋଇଗଲେ ଶହ ଶହ ଲୋକେ ।

ଟିଟିଲାଗଡ଼-କଣ୍ଟାବାଞ୍ଜି ରେଳ ଧାରଣାର ରହେନଭଟା ରେଳ ଷ୍ଟେସନ ନିକଟରେ ପଡ଼ିଥିଲା ବୈଷ୍ଣବଙ୍କ ମୃତଦେହ । ଏହାକୁ ଉଦ୍ଧାର କରିଥିଲା ଟିଟିଲାଗଡ଼ ଜି.ଆର.ପି । ମୁରିବାହାଲ ବ୍ଲକ ଠେମରା ଗାଁର ବୈଷ୍ଣବ ମହାନନ୍ଦଙ୍କ ମରଶରୀର ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ।

ସୂଚନା ଥାଉ କି ସେ ଗତ ଶୁକ୍ରବାର ସନ୍ଧ୍ୟାରେ ନିଜ ଘରୁ ବାହାରି ଥିଲେ ଓ ସକାଳ ପର୍ଯ୍ୟନ୍ତ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ ପରେ ରେଳ ଲାଇନ କଡ଼ରୁ ପୁଅର ମୃତଦେହ ପାଇଥିଲେ । ଖବର ପାଇ ମୁରିବାହାଲ ପୋଲିସ ଓ ଟିଟିଲାଗଡ଼ ଜିଆରପି ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ କରାଇବା ସହ ତଦନ୍ତ ଚଳାଇଛନ୍ତି । ଘଟଣାସ୍ଥଳରୁ ଏକ ବୁଲେଟ ଗାଡି, କିଛି ମଦ ବୋତଲ ଓ ମୋବାଇଲ ମିଳିଛି । ଯାହାକୁ ନେଇ କିଛି ଅଘଟଣର ସନ୍ଦେହ ଉପୁଜିଛି । ଏପଟେ ବୈଷ୍ଣବକୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ସାରା ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ । ରେଳ ଧାରଣା ନିକଟରେ ବୁଲେଟ ସାଙ୍ଗକୁ ଥୁଆ ହୋଇଛି ମଦ ବୋତଲ । ଏ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଅନୁମାନ କରି ହେଉଛି ଏଠାରେ ଜଣେ ନୁହେଁ ୩-୪ ଜଣ ସାଙ୍ଗ ହୋଇ ମଦ ପିଇଥିବେ । ଆଉ ଏହି ସବୁ ଦ୍ରୁଶ୍ୟ ହିଁ ବୟାନ କରୁଛି ବୈଷ୍ଣବଙ୍କ ମୃତ୍ୟୁ ପଛରେ ନିଶ୍ଚିତ ଭାବେ କିଛି ରହସ୍ୟ ଯୋଡ଼ି ହୋଇ ରହିଛି । ତେବେ ବୈଷ୍ଣବଙ୍କର ମୃତ୍ୟୁ କେମିତି ହେଲା ? ତାଙ୍କ ସହ କାହାର ପୂର୍ବ ଶତ୍ରୁତା ଥିଲା କି ? ତାଙ୍କୁ ମାରି ଦିଆଯାଇଛି ନା ସେ ନିଜେ ମରିଛନ୍ତି ? ଏମିତି କିଛି ପ୍ରଶ୍ନକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

Also Read: ଦିଗପହଣ୍ଡି ଚାମୁଣ୍ଡା ମନ୍ଦିର ନିକଟ କାଜୁ ତୋଟାରୁ ଅଜଣା ମୃତଦେହ ଉଦ୍ଧାର