ଲକ୍ଷ୍ମୀପୁର: ଟ୍ରେନ୍ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ରେଳ ଷ୍ଟେସନ ଠାରୁ ଏକ କିଲୋମିଟର ଦୂରରେ ପଡ଼ିଛି ମୃତଦେହ । ଆଜି ସକାଳେ ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ନିକଟସ୍ଥ ଭୂଇପାଟନି ଗାଁ ନିକଟରେ ଯାଇଥିବା ରେଲୱେ ଟ୍ରାକ୍ରେ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତକ ଦୁଇ ଜଣ ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗାଁର ବୁରୁଷ ଖରା ଓ ଯମୁନା ଖରା । ସ୍ଥାନୀୟ ଲୋକେ ଟ୍ରାକ୍ରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ପ୍ରଥମେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୋଲିସ୍କୁ ସୂଚନା ଦେଇଥିଲେ।
ସୂଚନା ଅନୁସାରେ ସ୍ୱାମୀ ସ୍ତ୍ରୀ ଗାଁ ଗାଁ ବୁଲି ଶୁଖୁଆ ବ୍ୟବସାୟ କରି ପରିବାର ପୋଷୁଥିଲେ । ଆଜି ସକାଳେ ରେଳ ଧାରଣା ପାର ହେଉଥିବାବେଳେ କୋରାପୁଟ-ବିଶାଖାପାଟଣା ଅଭିମୁଖେ ଯାଉଥିବା ଟ୍ରେନ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହା ହତ୍ୟା ନା ଜୀବନ ହାରିଥିବା ଘଟଣା ତାହା ସ୍ପଷ୍ଟ ହୋଇନଥିବାବେଳେ ଜିଆରପି ପୋଲିସର ତଦନ୍ତ ଜାରି ରହିଛି ।