ବିଦେଶକୁ ଯାଇଥିଲେ ରୋଜଗାର ପାଇଁ ହେଲେ ମୃତ୍ୟୁର ୫୪ ଦିନ ପରେ ଆସି ପହଞ୍ଚିଲା ଶବ

ଟାଙ୍ଗୀ (କେନ୍ୟୁଜ୍‌) : ଭଲରେ ପରିବାର ଚଳାଇବେ, ଅଧିକ ରୋଜଗାର କରିବେ । ଏଇ ଆଶା ନେଇ ଯାଇଥିଲେ ସୁଦୂର ଆରବର ଜେହାଦକୁ । ହେଲେ ସେଇଠି ତାଙ୍କର ମୃତ୍ୟୁ ହୋଇଗଲା । ତେବେ ମୃତକଙ୍କ ଶବ ଆସି ନିଜ ଜନ୍ମ ମାଟିରେ ପହଞ୍ଚିଲା ୫୪ ଦିନ ପରେ । ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶବ ସଂସ୍କାର କରାଯାଇଛି ।

ଖୋରଧା ଜିଲ୍ଲା ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ବାଁଳେଇ ଗାଁର ଦାମୋଦର ପ୍ରଧାନ । ନଟବର ପ୍ରଧାନଙ୍କ ସାନ ପୁଅ । ସାଉଦି ଆରବର ଜେଦା ସହରରେ ଥିବା ଏକ କମ୍ପାନୀରେ ଗାଡି ଡ୍ରାଇଭର ଭାବେ କାମ କରୁଥିଲେ। ଗତ ନଭେମ୍ବର ମାସର ୬ ତାରିଖରେ ଦାମୋଦରଙ୍କ ଦେହ ଖରାପ ହେବାରୁ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ କୌଣସି ସଠିକ ସୂଚନା ଦିଆଯାଇ ନଥିଲା । ଯାହାଫଳରେ ପରିବାରବର୍ଗ ଅନେକ ଦୁଶ୍ଚିନ୍ତାରେ ଥିଲେ । ଗତ ଡିସେମ୍ବର ୯ ତାରିଖରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଖବର କମ୍ପାନୀ ତରଫରୁ ପରିବାର ଲୋକଙ୍କୁ ଦିଆଯାଇଥିଲା । ମୃତଦେହକୁ ବିଦେଶରୁ ଜନ୍ମ ମାଟିକୁ ଫେରାଇ ଆଣିବା ସମ୍ଭବ ନଥିବାରୁ ଦାମୋଦରଙ୍କ ପତ୍ନୀ ବବିତା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମୃତ ଶରୀରକୁ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।

DAMODAR-1

ହେଲେ କମ୍ପାନୀ କର୍ତ୍ତୃପକ୍ଷ ସେହିଠାରେ ଶବ ପୋତିଦେବା ପାଇଁ ଧମକ ଦେଇଥିବା ଅଭିଯୋଗ କରିଥିଲେ । ତେବେ ସ୍ଥାନୀୟ ଚମ୍ପାଦେଇପୁର ଗ୍ରାମର ବାବୁଲି କୁମାର ସାହୁ ବୈଦେଶିକ ମନ୍ତ୍ରାଳୟ ସହ ଯୋଗଯୋଗ କରିଥିଲେ । ସେଠାକାର ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ଭାଇସ କନସୁଲାର ସାହାବୁଦ୍ଦିନ ଖାନ ଓ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଅହମଦ ରଜାକଙ୍କ ସହଯୋଗରେ ମୃତଦେହ ନିଜ ଗାଁରେ ଆସି ପହଁଚିଲା । ଏହା ପରେ ଦାମୋଦରଙ୍କ ଶବ ସଂସ୍କାର କରାଯାଇଛି ।

ତେବେ ସ୍ବାମୀଙ୍କ ବକେୟା ପ୍ରାପ୍ୟ, ଦରମା ସମେତ ମୃତ୍ୟୁ କାଳୀନ ସହାୟତା ମିଳି ନାହିଁ । ଏସବୁ ପାଇବା ପାଇଁ ପତ୍ନୀ ବବିତା ସ୍ଥାନୀୟ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଆକୁଳ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.