ନବରଙ୍ଗପୁର: ହାଜତରେ ମୃତ୍ୟୁ ଘଟଣା, ମୁହଁ ଖୋଲିଲେ ମୃତ ଗୋବର୍ଦ୍ଧନ ବିନ୍ଧାଣୀଙ୍କ ଝିଅ
ନବରଙ୍ଗପୁର(କେନ୍ୟୁଜ୍) : ନବରଙ୍ଗପୁରରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ମୁହଁ ଖୋଲିଲେ ମୃତ ଗୋବର୍ଦ୍ଧନ ବିନ୍ଧାଣୀଙ୍କ ଝିଅ । ପୋଲିସ ବିରୋଧରେ ଝିଅ ଡୁମୁଣୀ ବିନ୍ଧାଣୀ ସଂଗୀନ ଅଭିଯୋଗ ଆଣିଛନ୍ତି । ଗୋବର୍ଦ୍ଧନଙ୍କୁ ପୋଲିସ ହେପାଜତରେ ପିଟି ପିଟି ମାରି ଦିଆଯାଇଛି । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚିକିତ୍ସା ନାଁରେ ତାଙ୍କ ବାପାଙ୍କୁ ବିଶାଖାପାଟଣା ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଜୋରଜବରଦସ୍ତି ରାତି ୨ଟାରେ ତାଙ୍କୁ, ତାଙ୍କ ମାଆ ଓ ଜଣେ ସଂପର୍କୀୟ ଭାଇଙ୍କୁ ନିଦରୁ ଉଠାଇ ଗୋବର୍ଦ୍ଧନଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ନିଆଯାଉଥିବା କହି ଉଠାଇନେଇଥିଲେ ।ଗତକାଲି ସଂଧ୍ୟାରେ ପହଞ୍ଚିଥିଲା ଗୋବର୍ଦ୍ଧନଙ୍କ ମୃତ ଦେହ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବଚ୍ଛେଦ ପାଇଁ ବ୍ୟପାକ ବ୍ୟବସ୍ଥା କରାଯାଇଥିଲା । ଶବ ବ୍ୟବଚ୍ଛେଦ ଗୃହରେ ଜେନେରେଟର ଲଗାଯାଇଥିଲା । ବ୍ୟାପକ ପୋଲିସ ମୁତୟନ କରାଯାଇ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିଆରଡିଏ ଓ ଏସ୍ପିଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହୋଇଥିଲା । ସେପଟେ ମାଡ଼ ମାରିଥିବା ପୋଲିସ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ମୃତ ଦେହ ନେଉନାହାନ୍ତି ପରିବାର ଲୋକେ । ଏବେ ବି ଗାଁ ଦାଣ୍ଡରେ ମହାପ୍ରୟାଣ ଗାଡ଼ିରେ ମୃତ ଦେହ ରହିଛି ।